ଇଣ୍ଡିଆ ମେଣ୍ଟ ନିକଟରେ ଏକ ବୈଠକ ଆୟୋଜନ କରିଥିଲା, ଯେଉଁଥିରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ତୃଣମୂଳ କଂଗ୍ରେସ ପ୍ରମୁଖ ମମତା ବାନାର୍ଜୀଙ୍କ ସମେତ ଅନେକ ବଡ଼ ନେତା ସାମିଲ ହୋଇଥିଲେ। ଏହି ବୈଠକରେ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅଚାନକ୍ ଆଗମନ ହେତୁ ସୃଷ୍ଟି ହୋଇଥିଲା ହଲଚଲ। ସୋନିଆ ଗାନ୍ଧୀ ଯେତେବେଳେ ମିଟିଂରେ ପହଞ୍ଚିଲେ, ସେତେବେଳେ ନା ତାଙ୍କ ପାଇଁ ଚୌକି ରଖାଯାଇଥିଲା, ନା ନେମ୍ପ୍ଲେଟ୍ ରଖାଯାଇଥିଲା। ହେଲେ, ସେ ଆସିବା ପରେ ସହଯୋଗୀ ନେତାମାନେ ପରିସ୍ଥିତିକୁ ସମ୍ଭାଳି ନେଇଥିଲେ।
ଏନ୍ଡିଟିଭି' (NDTV) ର ରିପୋର୍ଟ ଅନୁଯାୟୀ, ସୋନିଆ ଗାନ୍ଧୀ ଇଣ୍ଡିଆ ବ୍ଲକ୍ର ମିଟିଂ ପରେ ପ୍ରେସ୍ କନ୍ଫରେନ୍ସରେ ସାମିଲ ହେବାର ନଥିଲା, କିନ୍ତୁ ସେ ଅଚାନକ୍ ପହଞ୍ଚିଯାଇଥିଲେ। ସେ ପହଞ୍ଚିବା ମାତ୍ରକେ ହଠାତ୍ ଆଫ୍ରାତଫ୍ରି ସୃଷ୍ଟି ହୋଇଗଲା। ମମତା ବାନାର୍ଜୀ ଏବଂ ସୁପ୍ରିୟା ସୁଲେ ସୋନିଆ ଗାନ୍ଧୀଙ୍କ ପାଇଁ ଚୌକି ଖୋଜିବାକୁ ଲାଗିଲେ। ସେଠାରେ ଉପସ୍ଥିତ ନେତାମାନେ ସୋନିଆ ଗାନ୍ଧୀଙ୍କୁ ରାହୁଲଙ୍କ ସୀଟ୍ରେ ବସିବାକୁ ଇଶାରା କରିଥିଲେ, କିନ୍ତୁ ସେ RJD ନେତା ତେଜସ୍ୱୀ ଯାଦବଙ୍କ ଚୌକିରେ ବସିଥିଲେ।
ପ୍ରେସ୍ କନ୍ଫରେନ୍ସ ପୂର୍ବରୁ ସ୍ଥିର ହୋଇଥିଲା ବସିବା ସ୍ଥାନ
ପ୍ରେସ୍ କନ୍ଫରେନ୍ସ ପୂର୍ବରୁ ସିଟିଂ ଆରେଞ୍ଜମେଣ୍ଟ ସମ୍ପୂର୍ଣ୍ଣ ଭାବେ ସ୍ଥିର ଥିଲା। ଖଡ଼ଗେଙ୍କ ଚୌକି ପୋଡିୟମ୍ର ମଝିରେ ଥିଲା। ତାଙ୍କ ପାଖରେ ରାହୁଲ ଗାନ୍ଧୀଙ୍କ ଚୌକି ରଖାଯାଇଥିଲା। ସେହିପରି ରାହୁଲଙ୍କ ପାଖରେ ତେଜସ୍ୱୀ ଯାଦବଙ୍କ ଚେୟାର ଥିଲା। ଏହାପରେ ମମତା ବାନାର୍ଜୀ ଏବଂ CPM ର ଜେନେରାଲ ସେକ୍ରେଟାରୀ ଏମ୍.ଏ. ବେବିଙ୍କ ସୀଟ୍ ଥିଲା। ଏହି ସମୟ ମଧ୍ୟରେ ସୋନିଆ ଗାନ୍ଧୀଙ୍କ ଆଗମନ ହୋଇଥିଲା।
ସୋନିଆ-ମମତାଙ୍କ ମଧ୍ୟରେ ଦେଖାଗଲା ନିବିଡ଼ତା
'ଇଣ୍ଡିଆ' ମେଣ୍ଟର ବୈଠକରେ ସୋନିଆ ଗାନ୍ଧୀ ଏବଂ ମମତା ବାନାର୍ଜୀଙ୍କ ମଧ୍ୟରେ ନିବିଡ଼ତା ସ୍ପଷ୍ଟ ଭାବେ ନଜର ଆସିଥିଲା। 'କନ୍ଷ୍ଟିଚ୍ୟୁସନ୍ କ୍ଲବ୍' ରେ ସାଢ଼େ ତିନି ଘଣ୍ଟା ଧରି ଚାଲିଥିବା ବୈଠକ ସମୟରେ ଦୁଇ ବରିଷ୍ଠ ନେତ୍ରୀ ଏକାଠି ବସିଥିଲେ। ଯେତେବେଳେ ବାନାର୍ଜୀ ପ୍ରେସ୍ କନ୍ଫରେନ୍ସରେ ନିଜର ବକ୍ତବ୍ୟ ରଖିଥିଲେ, ସେତେବେଳେ ଦୁଇ ନେତ୍ରୀଙ୍କ ମଧ୍ୟରେ ଆନ୍ତରିକତା ସମ୍ପୂର୍ଣ୍ଣ ଭାବେ ଦୃଶ୍ୟମାନ ହୋଇଥିଲା।
ମେଣ୍ଟର ପ୍ରେସ୍ କନ୍ଫରେନ୍ସରେ କେନ୍ଦ୍ର ସରକାରଙ୍କୁ ଅନେକ ପ୍ରସଙ୍ଗରେ ଘେରାଯାଇଥିଲା। ମଲ୍ଲିକାର୍ଜୁନ ଖଡ଼ଗେ କହିଥିଲେ ଯେ, ଇଣ୍ଡିଆ ବ୍ଲକ୍ର ବୈଠକରେ ୨୦ ଟି ରାଜନୈତିକ ଦଳ ଭାଗ ନେଇଥିଲେ। ସମସ୍ତ ନେତା ନିଜର ବକ୍ତବ୍ୟ ରଖିଥିଲେ ଏବଂ ପରାମର୍ଶ ଦେଇଥିଲେ। ସମସ୍ତ ଦଳ ଏକଜୁଟ୍ ହୋଇ ମିଳିମିଶି ଲଢ଼ିବା ପାଇଁ ଆଗେଇ ଆସିଛନ୍ତି।