ପୁଣେ/ରାୟଗଡ଼: ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରୁ ଏକ ବଡ଼ଧରଣର ଦୁଃଖଦ ଖବର ସାମ୍ନାକୁ ଆସିଛି। ପୁଣେର ଏକ ବେସରକାରୀ କୋଚିଂ କ୍ଲାସ୍ ପକ୍ଷରୁ ଯାଇଥିବା ଏକ ପିକନିକ୍ ଖୁସି ପାଣିରେ ମଉଳି ଯାଇଛି।ରାୟଗଡ଼ର ପ୍ରସିଦ୍ଧ ଦିଭେଆଗର ସମୁଦ୍ର ବେଳାଭୂମିରେ ଗାଧୋଉଥିବା ସମୟରେ ଜୁଆଡ଼ରେ ଭାସିଯାଇ ୮ ଜଣ କଲେଜ ଛାତ୍ରଙ୍କର ଜଳାନ୍ତକ ହୋଇଛି। ଏହି ମର୍ମନ୍ତୁଦ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ପୁଣେର ଆଳନ୍ଦୀ ଅଞ୍ଚଳରେ ଥିବା ଏକ ଘରୋଇ କୋଚିଂ ପ୍ରତିଷ୍ଠାନର କିଛି ଛାତ୍ରଛାତ୍ରୀ ଦଳବଦ୍ଧ ଭାବେ ରାୟଗଡ଼ର ଦିଭେଆଗର ବେଳାଭୂମିକୁ ବୁଲିବା ଓ ପିକନିକ୍ କରିବା ପାଇଁ ଯାଇଥିଲେ। ଛାତ୍ରମାନେ ଉତ୍ସାହିତ ହୋଇ ସମୁଦ୍ର ମଧ୍ୟକୁ ଓହ୍ଲାଇ ଗାଧୋଉଥିବା ବେଳେ ହଠାତ୍ ସମୁଦ୍ରର ପ୍ରଖର ଜୁଆରରେ ଭାସି ଯାଇଥିଲେ।
ଘଟଣା ସାମ୍ନାକୁ ଆସିବାକ୍ଷଣି ସ୍ଥାନୀୟ ପ୍ରଶାସନ, ପୋଲିସ ଏବଂ ଉଦ୍ଧାରକାରୀ ଦଳ ତତ୍ପରତା ପ୍ରକାଶ କରି ସ୍ଥାନୀୟ ଲୋକଙ୍କ ସହାୟତାରେ ଜୋରଦାର ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାଣିରୁ ଏପର୍ଯ୍ୟନ୍ତ ୭ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଖୋଜାଖୋଜି ଜାରି ରହିଛି।
ଏହି ଦୁର୍ଘଟଣା ପାଇଁ କୋଚିଂ କ୍ଲାସ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସୁରକ୍ଷା ବ୍ୟବସ୍ଥା ନିଆଯାଇଥିଲା କି ନାହିଁ, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।
Also Read: ପିତାମାତା ଭଗବାନ ନୁହଁନ୍ତି, CEO ଙ୍କ ଭାଇରାଲ୍ ପୋଷ୍ଟ୍କୁ ନେଇ କାହିଁକି ହେଲା ହଙ୍ଗାମା?