ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଶାହଜାହାନପୁରରେ ଏକ ବର୍ବର ହତ୍ୟାକାଣ୍ଡ ଘଟିଛି । ଜମି ବିବାଦକୁ କେନ୍ଦ୍ର କରି ଏକ ହନୁମାନ ମନ୍ଦିରର ଦୁଇ ଜଣ ପୂଜକଙ୍କୁ ଜିଅନ୍ତା ଜାଳି ଦିଆଯାଇଛି । ଖୁଦାଗଞ୍ଜ ଥାନା ଅନ୍ତର୍ଗତ ସୁଥା ଗ୍ରାମରେ ଏହି ଭୟଙ୍କର ହତ୍ୟାକାଣ୍ଡ ହୋଇଛି । ମୃତକଙ୍କୁ ମନ୍ଦିରର ବରିଷ୍ଠ ସେବକ ଗୋପାଳ ଦାସ ଏବଂ ବାବା ବିହାରୀ ଦାସ ଭାବରେ ଚିହ୍ନଟ କରାଯାଇଛି । ସୁମିତ ସିଂହ ନାମକ ଜଣେ ଯୁବକଙ୍କ ଏହି ହତ୍ୟାକାଣ୍ଡ ଭିଆଇଥିବା ପୋଲିସ ସୂଚନା ଦେଇଛି ।
ଶାହଜାହାନପୁର ଏସପି ସୌରଭ ଦୀକ୍ଷିତଙ୍କ ସୂଚନା ଅନୁସାରେ, ଜମି ବିବାଦକୁ ନେଇ ଏହି ହତ୍ୟା ହୋଇଛି । ମନ୍ଦିରଟି ସୁମିତଙ୍କ ପରିବାରର ଜମି ଉପରେ ନିର୍ମାଣ କରାଯାଇଥିଲା । ଯାହାକୁ ସୁମିତ ଦଖଲ କରିବାକୁ ଚାହୁଁଥିଲେ । ଉଭୟ ବରିଷ୍ଠ ସେବକ ମନ୍ଦିରରେ ରହିବା ସହିତ ପୂଜା ଏବଂ ରୀତିନୀତି କରୁଥିଲେ । ଦୀର୍ଘ ଦିନରୁ ଏ ନେଇ ବିବାଦ ଚାଲି ଆସିଥିଲା । ଯାହା ଗତକାଲି ରାତିରେ ଉଗ୍ର ରୂପ ନେଇଥିଲା । ବୁଧବାର ରାତିରେ ସୁମିତ ଗାଁରେ ବୁଲୁଥିବାବେଳେ ପ୍ରଥମେ କାଲ ସିଂହ ସ୍ଥାନକୁ ଯାଇଥିଲେ । ଏହା ପରେ ସେଠାରେ ଲାଗିଥିବା ଷ୍ଟ୍ରିଟ୍ ଲାଇଟକୁ ଭାଙ୍ଗି ହନୁମାନ ମନ୍ଦିରକୁ ଯାଇଥିଲେ। ଏଠାରେ ତାଙ୍କର ଉଭୟ ସେବାୟତଙ୍କ ସହ ଯୁକ୍ତିତର୍କ ହୋଇଥିଲା। ସେ ଉଭୟଙ୍କୁ ଆକ୍ରମଣ କରିବା ପରେ ମାରି ଏକ ଖଟରେ ବାନ୍ଧି ନିଆଁ ଲଗାଇ ଦେଇଥିଲେ। ନିଆଁରେ ପୋଡ଼ିଯିବାରୁ ଉଭୟଙ୍କ ମୃତ୍ୟୁ ହୋଇଥିଲା।
ଅଭିଯୁକ୍ତ ସୁମିତ ସିଂହ ପ୍ରାୟ ଦୁଇ ମାସ ପୂର୍ବରୁ ଜେଲରୁ ମୁକ୍ତ ହୋଇଥିଲା। ତାଙ୍କ ବିରୁଦ୍ଧରେ ଏସସି/ଏସଟି ଆଇନ ଅନୁଯାୟୀ ଏବଂ ଏକ କାର ପୋଡ଼ି ଦେବା ସମେତ ଅନେକ ଅପରାଧିକ ମାମଲା ରହିଛି । ପୋଲିସ ତାକୁ ଗିରଫ କରିଥିବା ବେଳେ ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।
ମନ୍ଦିର ପରିସରରେ ଦୁଇଜଣ ବୃଦ୍ଧଙ୍କୁ ବାନ୍ଧି ଜୀବନ୍ତ ପୋଡ଼ି ଦିଆଯିବା ଘଟଣା ଗାଁରେ ଆଲୋଡ଼ନ ସୃଷ୍ଟି କରିଛି। ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି। ଅପରାଧରେ ବ୍ୟବହୃତ ପଦ୍ଧତି, ଜମି ବିବାଦର ପୃଷ୍ଠଭୂମି ଏବଂ ଅଭିଯୁକ୍ତଙ୍କ ଭୂମିକା ତଦନ୍ତ କରାଯାଉଛି।