ଦୁବାଇ: ଆକାଶମାର୍ଗରେ ନିଜ ଜୀବନକୁ ବାଜିରେ ଲଗାଇ ଶତାଧିକ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବା ଭାରତୀୟ ପାଇଲଟ୍ କ୍ୟାପଟେନ୍ ସ୍ମିତ ମଚ୍ଛାରଙ୍କ ସାହସିକତାକୁ ଆଜି ସାରା ବିଶ୍ୱ ପ୍ରଶଂସା କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ମଧ୍ୟ ମଚ୍ଛାରଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି । କ୍ୟାପଟେନ୍ ମଚ୍ଛାରଙ୍କ ପାଇଁ ଆଜି ସାରା ଭାରତ ଗର୍ବିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।
ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ୍ ମିଡ଼ିଆ ଆକାଉଣ୍ଟ, ‘ଏକ୍ସ’ରେ ଲେଖିଛନ୍ତି ଯେ କ୍ୟାପଟେନ୍ ସ୍ମିତ ମଚ୍ଛାର ଜଣେ ହିରୋ । ଗୁରୁତର ଆହତ ହୋଇ ଏବଂ ବିପଦର ସମ୍ମୁଖୀନ ହୋଇ ମଧ୍ୟ ସେ ଅନ୍ୟମାନଙ୍କ ଜୀବନ ରକ୍ଷା କରିବା ପାଇଁ ଅପାର ସାହସ ପ୍ରଦର୍ଶନ କରିଥିଲେ। ତାଙ୍କର ଏହି ସାହସିକତାଙ୍କୁ ଯୋଗୁଁ ଶତାଧିକ ଅମୂଲ୍ୟ ଜୀବନ ବଞ୍ଚିଗଲା । କ୍ୟାପଟେନ୍ ମଚ୍ଛାର ପାଇଁ ସାରା ଭାରତ ଗର୍ବିତ ବୋଲି ମୋଦୀ ଲେଖିଛନ୍ତି । ଏହା ସହିତ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ସେହିପରି ବେଞ୍ଜାମିନ ନେତାନ୍ୟାହୁ ମଚ୍ଛାରଙ୍କ ପ୍ରଶଂସାରେ ଶତ ମୁଖ । ନେତାନ୍ୟାହୁ କହିଛନ୍ତି ଯେ ୯/୧୧ ଭଳି ବିପଦ ଟଳିଯାଇଛି । ନେତାନ୍ୟାହୁ ତାଙ୍କୁ ସାଲ୍ୟୁଟ୍ କରି କହିଛନ୍ତି ଯେ କ୍ୟାପଟେନ୍ ମଚ୍ଛାର ଏକ ବଡ଼ ଧରଣର ବିପଦକୁ ଏଡ଼ାଇ ଦେଇଛନ୍ତି । ଛୁରୀ ଆଘାତରେ ଗୁରୁତର ଆହତ ହୋଇଥିଲେ ମଧ୍ୟ ସେ ପ୍ରତି-ଆକ୍ରମଣ କରିଥିଲେ ଏବଂ କକ୍ପିଟ୍ର କବାଟ ଖୋଲିଦେଇଥିଲେ, ଯାହା ଫଳରେ ଯାତ୍ରୀ ଓ ଅନ୍ୟ କର୍ମଚାରୀମାନେ ଆକ୍ରମଣକାରୀକୁ କାବୁ କରିପାରିଥିଲେ। ଫଳସ୍ୱରୂପ ଆକାଶମାର୍ଗରେ ଏକ ବଡ଼ ଧରଣର ଦୁର୍ଘଟଣା ଟଳିଯାଇଥିଲା।
ସାଉଦି ଆରବରେ ସମ୍ପୃକ୍ତ ସହ ଚାଳକଙ୍କ ଗିରଫ କରାଯାଇଥିବା ଇସ୍ରାଏଲ ସରକାର ସୂଚନା ଦେଇଛନ୍ତି । ତାଙ୍କ ବିରୋଧରେ କକ୍ପିଟ୍ ଭିତରେ ଅନ୍ୟ ଜଣେ ପାଇଲଟଙ୍କୁ ଛୁରୀରେ ଆକ୍ରମଣ କରିବା ଏବଂ ବିମାନଟିକୁ ଦୁର୍ଘଟଣାଗ୍ରସ୍ତ କରିବାକୁ ଉଦ୍ୟମ କରିବାର ଅଭିଯୋଗ ରହିଛି। ତାଙ୍କୁ ଜେରା କରାଯାଉଛି । ଆକ୍ରମଣର କାରଣ ନେଇ ସେ ତଦନ୍ତ ଜାରି ରହିଛି ।
ଉଲ୍ଲେଖ ଯୋଗ୍ୟ, ଗତକାଲି ଦୁବାଇରୁ ତେଲ ଅବିବ୍ ଯାଉଥିବା 'ଫ୍ଲାଏ ଦୁବାଇ' ବିମାନର କକପିଟ୍ ଭିତରେ ବିମାନ ଚାଳକ କ୍ୟାପଟେନ୍ ମଚ୍ଛାରଙ୍କ ଉପରେ ଭୟଙ୍କର ଆକ୍ରମଣ ହୋଇଥିଲା । ଦୁବାଇରୁ ଉଡ଼ାଣ ଭରିଥିବା 'ଏଫ୍ଜେଡ୍-୧୦୭୩' (FZ1073) ବିମାନରେ କୋ-ପାଇଲଟ୍ଙ୍କ ଆକ୍ରମଣର ଶୀକାର ହୋଇଥିଲେ ମଚ୍ଛାର । ଗୁରୁତର ଆହତ ହୋଇ ମଧ୍ୟ ସେ ବିମାନ ଚଳାଇବା ଜାରି ରଖିଥିଲେ । ସାଉଦି ଆରବର ତବୁକ୍ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଥିଲା । ଫଳରେ 176 ଜଣ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଥିଲା ।