ନୂଆଦିଲ୍ଲୀ: ଭାରତର ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ଗୁରୁବାର ଆଫଗାନିସ୍ତାନର ହେଲମନ୍ଦ ସୀମାରେ ପାକିସ୍ତାନ ଆକ୍ରମଣ କରିଛି । ପାକିସ୍ତାନର ଏୟାର ଷ୍ଟ୍ରାଇକରେ ପ୍ରାୟ ୨୨ ଜଣ ନାଗରିକଙ୍କର ମୃତ୍ୟୁ ଘଟିଥିବାବେଳେ ୧୧ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।
ହେଲମନ୍ଦର ସୂଚନା ଓ ସଂସ୍କୃତି ବିଭାଗ ମୁଖ୍ୟ ମୌଲାନା ଶେର ମୋହମ୍ମଦ ବହଦତ ରୟଟର୍ସକୁ ଦେଇଥିବା ସୂଚନା ଆଧାରରେ, ପାକିସ୍ତାନ ସେନା ହେଲମନ୍ଦ ଗରମ୍ସିର ଜିଲ୍ଲାରେ ଦୁଇଟି ଘର ଉପରେ ଆକ୍ରମଣ କରିଛି । ଏହି ଏୟାର ଷ୍ଟ୍ରାଇକରେ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ଦାବି କରାଯାଇଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ସାମିଲ ଅଛନ୍ତି । ଅନ୍ୟ ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।
ଏହି ଆକ୍ରମଣ ପରେ ସୀମାରେ ହାଇଆଲର୍ଟ ଜାରି କରାଯାଇଛି । ଅନ୍ୟପକ୍ଷରେ ମୃତକଙ୍କୁ ପାକିସ୍ତାନ ସରକାର ଆତଙ୍କବାଦୀ ବୋଲି ଘୋଷଣା କରିଛି ।