ଭୁବନେଶ୍ୱର : ବୁଧବାର ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିଦର୍ଶନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହି ପରିଦର୍ଶନ କାଳରେ ଦେଶ ଓ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ ଯେପରି ଏକ ଉତ୍ତମ ଓ ଆନନ୍ଦଦାୟକ ଅନୁଭୂତି ନେଇ ଫେରିବେ, ସେଥିପାଇଁ ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପ ଶୀଘ୍ର କାର୍ଯ୍ୟକାରୀ କରିବାକୁ ଉପ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ନନ୍ଦନକାନନର ପ୍ରାକୃତିକ ପରିବେଶ ଓ ବନ୍ୟପ୍ରାଣୀଙ୍କ ଯତ୍ନ ସହ ପର୍ଯ୍ୟଟକମାନଙ୍କ ପାଇଁ ପାନୀୟ ଜଳ, ବିଶ୍ରାମାଗାର, ଯାତାୟାତ ଏବଂ ଅନ୍ୟାନ୍ୟ ମୌଳିକ ସୁବିଧାଗୁଡ଼ିକର ଗୁଣାତ୍ମକ ମାନ ବୃଦ୍ଧି କରିବା ନେଇ ବୈଠକରେ ବ୍ୟାପକ ଚର୍ଚ୍ଚା କରାଯାଇଛି ।
ଏଥିସହ ନିକଟରେ ବାଲେଶ୍ୱରରୁ ଉଦ୍ଧାର କରାଯାଇଥିବା ୫ଟି ଓରାଙ୍ଗଉଟାନ ଶିଶୁଙ୍କୁ ଦେଖିବା ପାଇଁ ଉପମୁଖ୍ୟମନ୍ତ୍ରୀ କ୍ୱାରେଣ୍ଟାଇନ ଗୃହକୁ ଯାଇଥିଲେ। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା, ଖାଦ୍ୟପେୟ ଏବଂ ଗତିବିଧି ସମ୍ପର୍କରେ ସେ ବିଶେଷଜ୍ଞ ଓ ପ୍ରାଣୀ ଚିକିତ୍ସକମାନଙ୍କ ସହ ଆଲୋଚନା କରିଛନ୍ତି ।
ଏହି ପରିଦର୍ଶନ ସମୟରେ ଉପମୁଖ୍ୟମନ୍ତ୍ରୀଙ୍କ ସହ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ବଲୱନ୍ତ ସିଂହ ଏବଂ ଜଙ୍ଗଲ ଓ ପର୍ଯ୍ୟଟନ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।