ନୂଆଦିଲ୍ଲୀ: ବଲିଉଡର ଚର୍ଚ୍ଚିତ ଅଭିନେତା ଅଜୟ ଦେବଗନ ଏବଂ ଶ୍ରୀୟା ଶରଣଙ୍କ ବହୁପ୍ରତୀକ୍ଷିତ ଫିଲ୍ମ 'ଦୃଶ୍ୟମ୍ ୩'ପରଦାକୁ ଆସିବା ପୂର୍ବରୁ ହିଁ ବକ୍ସ ଅଫିସରେ ଝଡ଼ ସୃଷ୍ଟି କରିଛି। ବିଜୟ ସାଲଗାଁଓ୍ଵର ଚରିତ୍ରରେ ଅଜୟଙ୍କର ଏହି କମବ୍ୟାକ୍ ପାଇଁ ପ୍ରଶଂସକମାନେ ଅତ୍ୟନ୍ତ ଉତ୍ସାହିତ ଥିବାବେଳେ ଫିଲ୍ମଟି ରିଲିଜ୍ ପୂର୍ବରୁ ଆଗୁଆ ବୁକିଂ ବା ପ୍ରି-ସେଲ୍ରେ ନୂଆ ଇତିହାସ ରଚିଛି। ଫିଲ୍ମଟି ବର୍ତ୍ତମାନ ସୁଦ୍ଧା ୪୯ କୋଟିରୁ ଅଧିକ ଆୟ କରି ସାରିଲାଣି।
ପ୍ରି-ସେଲ୍ରେ କଲା ବଡ଼ ଧମାକା
ପ୍ରାପ୍ତ ସୂଚନା ଅନୁଯାୟୀ, 'ଦୃଶ୍ୟମ୍ ୩' ର ଆଡ୍ଭାନ୍ସ ବୁକିଂ ସେପ୍ଟେମ୍ବର ୨୭ରୁ ଆରମ୍ଭ ହୋଇଥିଲା। ମାତ୍ର ୫ ଦିନ ଭିତରେ ଫିଲ୍ମଟିର ଲକ୍ଷାଧିକ ଟିକେଟ୍ ବିକ୍ରି ହୋଇସାରିଛି। ସ୍ୟାକନିଲ୍କ (Sacnilk) ରିପୋର୍ଟ ମୁତାବକ, ବ୍ଲକ୍ ସିଟ୍କୁ ମିଶାଇ ଫିଲ୍ମଟି ଆଗୁଆ ବୁକିଂରେ ପ୍ରାୟ ୪୯.୩୫ କୋଟି ଟଙ୍କାର କଲେକ୍ସନ କରିସାରିଥିବା ବେଳେ ବିନା ବ୍ଲକ୍ ସିଟ୍ରେ ଏହା ୩୯.୧୩ କୋଟି ଅଟେ। ଏପର୍ଯ୍ୟନ୍ତ ଫିଲ୍ମର ପ୍ରାୟ ୧୪.୬୮ ଲକ୍ଷ ଟିକେଟ୍ ବିକ୍ରି ହୋଇସାରିଛି ଏବଂ ଏହାକୁ ୪୩ ହଜାରରୁ ଅଧିକ ଶୋ' ମିଳିଛି।
୨୦୨୬ର ଏତେଗୁଡ଼ିଏ ଫିଲ୍ମର ରେକର୍ଡ ଭାଙ୍ଗିଲା
ଆଗୁଆ ଟିକେଟ୍ ବିକ୍ରି ମାମଲାରେ 'ଦୃଶ୍ୟମ୍ ୩' ଚଳିତ ବର୍ଷର (୨୦୨୬) ଅନେକ ବଡ଼ ଫିଲ୍ମକୁ ପଛରେ ପକାଇ ଦେଇଛି। ଏହି ତାଲିକାରେ 'ବର୍ଡର ୨', 'ଧୁରନ୍ଧର ୨', 'କକ୍ଟେଲ୍ ୨' ଏବଂ 'ଅଲ୍ଫା' ଭଳି ପ୍ରାୟ ୧୩ଟି ଫିଲ୍ମର ପ୍ରି-ସେଲ୍ ରେକର୍ଡ ଧ୍ୱଂସ ହୋଇଯାଇଛି।
ଫିଲ୍ମର ନିର୍ଦ୍ଦେଶନା ଏବଂ କାହାଣୀକୁ ନେଇ ଅଜୟ ଦେବଗନ ପୂର୍ବରୁ ସୂଚନା ଦେଇଛନ୍ତି ଯେ, ଏହି ତୃତୀୟ ଭାଗଟି ସାଲଗାଁଓ୍ଵର ପରିବାର କାହାଣୀର ଏକ ସମ୍ପୂର୍ଣ୍ଣ ସମାଧାନ (Conclsuion) ଆଣିବ। ଏହା ପରେ ଆଗକୁ ଆଉ କୌଣସି ସିକ୍ୱେଲ୍ ଆସିବ କି ନାହିଁ, ତାହା ବର୍ତ୍ତମାନ ସ୍ଥିର ହୋଇନାହିଁ। ତଥାପି, ଦର୍ଶକଙ୍କ ମଧ୍ୟରେ ଏହାର କ୍ରେଜ୍ ଦେଖିବାକୁ ମିଳୁଛି ଯାହା ବକ୍ସ ଅଫିସ୍ ନମ୍ବରରୁ ସ୍ପଷ୍ଟ ଜାଣି ହେଉଛି।