ଭୁବନେଶ୍ୱର: ରାଜ୍ୟର ଏମ୍ଏମ୍ଡିଆର୍ ଆଇନ ଏବଂ ପ୍ରାକୃତିକ ସମ୍ପଦ ବଣ୍ଟନକୁ ନେଇ ପୁଣି ଥରେ ରାଜନୈତିକ ତର୍କବିତର୍କ ଜୋର ଧରିଛି। ବିଜୁ ଜନତା ଦଳ ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ପ୍ରସଙ୍ଗରେ ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି ବୋଲି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଡ଼ା ସମାଲୋଚନା କରିଛନ୍ତି। ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ରାୟକୁ ଆଧାର କରି ସେ ପୂର୍ବତନ ସରକାରଙ୍କ ଭୂମିକା ଉପରେ ବଡ଼ ପ୍ରଶ୍ନବାଣ ସୃଷ୍ଟି କରିଛନ୍ତି।
ଓଡ଼ିଶା ହାଇକୋର୍ଟଙ୍କ ଗତକାଲିର ରାୟରୁ ଏହା ସ୍ପଷ୍ଟ ହୋଇଛି ଯେ, ଗତ ବିଜେଡି ସରକାର କିଭଳି ଭାବେ ନିର୍ଦ୍ଦିଷ୍ଟ ଘରୋଇ କମ୍ପାନୀମାନଙ୍କୁ ଅହେତୁକ ଅନୁକମ୍ପା ଦେବା ପାଇଁ ବାଟ ତିଆରି କରିଥିଲେ। ହାଇକୋର୍ଟ ୨୦୦୪ ମସିହାରେ ଏକ ଘରୋଇ ଶିଳ୍ପ ସଂସ୍ଥାକୁ ୧୫୦ ନିୟୁତ ଟନ୍ ବକ୍ସାଇଟ୍ ଯୋଗାଣ ଦାବିକୁ ସମ୍ପୂର୍ଣ୍ଣ ଖାରଜ କରିଦେଇଛନ୍ତି। ପ୍ରାକୃତିକ ସମ୍ପଦ କ୍ଷେତ୍ରରେ ପୁରୁଣା ପ୍ରତିଶ୍ରୁତି ଦେଖାଇ ଆଇନକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।
କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଏମ୍ଏମ୍ଡିଆର୍ ଆଇନ ଏବଂ ଏମସିଆର୍ ନିୟମ ସଂଶୋଧନ ପରେ ବକ୍ସାଇଟ୍ର ହାରାହାରି ବିକ୍ରୟ ମୂଲ୍ୟରେ କନଭର୍ସନ ଫ୍ୟାକ୍ଟର ଲାଗୁ ହୋଇଥିଲା। ଏହାଦ୍ୱାରା ବକ୍ସାଇଟ୍ ଦର ବୃଦ୍ଧି ପାଇବା ସହ ରାଜ୍ୟକୁ ରୋୟାଲଟି ଏବଂ ଡିଏମ୍ଏଫ୍ (DMF) ଜରିଆରେ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ମିଳିବାର ସୁଯୋଗ ସୃଷ୍ଟି ହୋଇଥିଲା।
କିନ୍ତୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୦ ମସିହାରେ କେନ୍ଦ୍ର ସରକାରଙ୍କୁ ପୃଥକ ଚିଠି ଲେଖି (୧ ଫେବ୍ରୁଆରୀ ଏବଂ ୭ ଅକ୍ଟୋବର) କନଭର୍ସନ ଫ୍ୟାକ୍ଟର କମାଇବା ପାଇଁ ଅନୁରୋଧ କରିଥିଲେ, ଯାହାକୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିଥିଲେ।
ଏହି ସମସ୍ତ ପ୍ରସଙ୍ଗରେ ନବୀନ ବାବୁଙ୍କୁ ସିଧାସଳଖ ପ୍ରଶ୍ନ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ଗୋଟିଏ ନିର୍ଦ୍ଦିଷ୍ଟ ଘରୋଇ କମ୍ପାନୀ ଉପରେ ଦୀର୍ଘ ଦିନ ଧରି ପ୍ରାୟ ୫,୪୦୦ କୋଟି ଟଙ୍କା ବକେୟା ପଡ଼ିରହିବା କ'ଣ ଭୁଲ୍ ନିଷ୍ପତ୍ତିର ପରିଣାମ ନୁହେଁ କି? ରାଜ୍ୟ ପାଇଁ ଲାଭଦାୟକ ନିୟମକୁ କାର୍ଯ୍ୟକାରୀ ନକରି, ତାହାକୁ ପୁନର୍ବିଚାର କରିବାକୁ ଅନୁରୋଧ କରିବା ପଛରେ ପ୍ରକୃତ ଉଦ୍ଦେଶ୍ୟ କ’ଣ ଥିଲା ?
କାହା ସ୍ୱାର୍ଥରେ ଏବଂ କାହାକୁ ସୁହାଇବା ପାଇଁ ରାଜ୍ୟର ଲକ୍ଷ ଲକ୍ଷ କୋଟି ଟଙ୍କାର ରାଜସ୍ୱ କ୍ଷତି କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଭ୍ରାନ୍ତ ତଥ୍ୟ ଉପସ୍ଥାପନ କରିବା ବନ୍ଦ କରିବାକୁ ସେ ବିଜେଡି ନେତୃତ୍ୱଙ୍କୁ ପରାମର୍ଶ ଦେଇଛନ୍ତି।