ନୂଆଦିଲ୍ଲୀ: ଦୀର୍ଘଦିନରୁ ଚାଲିଥିବା ମହାନଦୀ ଜଳ ବିବାଦର ସମାଧାନ ପାଇଁ ପ୍ରକ୍ରିୟା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ଉଭୟ ରାଜ୍ୟର ସମସ୍ୟାକୁ ନେଇ ଏକ ସକାରାତ୍ମକ ଆଲୋଚନା ହୋଇଥିବାବେଳେ ଆଉ ମାସେ ଭିତରେ ଏହାର ସ୍ଥାୟୀ ସମାଧାନ ହୋଇଯିବ ବୋଲି ବୈଠକ ପରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି।
ଉଭୟ ରାଜ୍ୟରେ ଡବଲ୍ ଇଞ୍ଜିନ୍ ସରକାର ଆସିବା ପରେ ମହାନଦୀ ଜଳ ସମସ୍ୟାର ସମାଧାନ ପ୍ରକ୍ରିୟା ଅଧିକ ତ୍ୱରାନ୍ୱିତ ହୋଇଛି, ଯାହା ଫଳରେ ଆଲୋଚନା ଅତ୍ୟନ୍ତ ଫଳପ୍ରଦ ହୋଇଛି। ଆଗାମୀ ତିନି ମାସ ମଧ୍ୟରେ ଏହି ବିବାଦର ଚୂଡ଼ାନ୍ତ ସମାଧାନ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ବର୍ତ୍ତମାନ ଦୁଇ ମାସ ସଫଳତାର ସହ ଅତିକ୍ରାନ୍ତ ହୋଇସାରିଛି।
କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟାଧୀନ କେନ୍ଦ୍ରୀୟ ଜଳ ଆୟୋଗ (CWC) ଜରିଆରେ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ବୈଷୟିକ ବିଶେଷଜ୍ଞମାନେ ଆବଶ୍ୟକୀୟ ତଥ୍ୟ ଓ ଦସ୍ତାବିଜ୍ ପ୍ରଦାନ କରି ଆଲୋଚନା ଜାରି ରଖିଛନ୍ତି। ଓଡ଼ିଶାର କୋଟି କୋଟି ଲୋକଙ୍କ ଜୀବନଜୀବିକା, କୃଷି ଜଳସେଚନ, ବନ୍ୟା ନିୟନ୍ତ୍ରଣ, ପାନୀୟ ଜଳ ଏବଂ ପରିବେଶ ସୁରକ୍ଷା ଭଳି ପ୍ରସଙ୍ଗଗୁଡ଼ିକୁ ବୈଠକରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସିଧାସଳଖ ତତ୍ତ୍ୱାବଧାନରେ ଏହି ଜଟିଳ ସମସ୍ୟାର ପନ୍ଥା ବାହାରୁଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି। ଆଶା କରାଯାଉଛି ଯେ, ମହାନଦୀ ଜଳ ବିବାଦର ଏହି ସମାଧାନ ପ୍ରକ୍ରିୟା ଆଗାମୀ ଦିନରେ ଅନ୍ୟ ରାଜ୍ୟମାନଙ୍କ ପାଇଁ ଏକ ମଡେଲ୍ ବିବାଦ ସମାଧାନ (Model Dispute Resolution) ଭାବେ ପରିଗଣିତ ହେବ।
Also Read: କନିଷ୍ଠ ଶିକ୍ଷକଙ୍କୁ ନିୟମିତ ଘୋଷଣା କଲେ ସରକାର , ଜାରି ହେଲା ବିଜ୍ଞପ୍ତି