ଭୁବନେଶ୍ୱର :ରାଜ୍ୟରେ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ କରାଇବା ନେଇ ଏଯାଏଁ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। ଆଜି ଏହି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।
ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଆଗାମୀ ଛାତ୍ର ସଂସଦ ନିର୍ବାଚନକୁ ନେଇ ଚର୍ଚ୍ଚା ଜୋରଦାର ହୋଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। ସରକାର ଏହି ବିଷୟରେ ବିଚାରବିମର୍ଷ କରୁଛନ୍ତି ଏବଂ ଯଥା ସମୟରେ ଉଚିତ୍ ନିଷ୍ପତ୍ତି ନିଆଯିବ ।
ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟରେ ସମୟ ଧରି ବନ୍ଦ ଥିବା ଛାତ୍ର ସଂସଦ ନିର୍ବାଚନ ଚଳିତ ଶିକ୍ଷାବର୍ଷରେ ହେବ କି ନାହିଁ, ତାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ଏହାରି ଭିତରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରତିକ୍ରିୟା ନୂଆ ଚର୍ଚ୍ଚାର ବିଷୟ ହୋଇଛି । ଏପର୍ଯ୍ୟନ୍ତ ଛାତ୍ର ସଂସଦ ନିର୍ବାଚନ ନେଇ କୌଣସି ନିଷ୍ପତ୍ତି ଚୂଡ଼ାନ୍ତ ହୋଇନଥିବା ସେ ସ୍ପଷ୍ଟ କରିଛନ୍ତି।
ମନ୍ତ୍ରୀ ଆହୁରି କହିଛନ୍ତି ଯେ ଉଚ୍ଚଶିକ୍ଷା ବିଭାଗ ଛାତ୍ର ସଂସଦ ନିର୍ବାଚନ ସପକ୍ଷରେ ରହିଛି । ନିର୍ବାଚନ କରାଇବା ନେଇ ବିଭାଗ ପକ୍ଷରୁ ପ୍ରସ୍ତୁତି ଓ ଆଲୋଚନା ଚାଲିଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ତାରିଖ ଏଯାଏଁ ଘୋଷଣା ହୋଇନାହିଁ । ସରକାରୀ ସ୍ତରରେ ଆଲୋଚନା ଚାଲିଛି।
ଓଡ଼ିଶାରେ ଶେଷଥର ପାଇଁ ୨୦୧୭ରେ ନିୟମିତ ଛାତ୍ର ସଂସଦ ନିର୍ବାଚନ ହୋଇଥିଲା । ୨୦୧୮ରୁ ନିର୍ବାଚନ ବନ୍ଦ ରହିଛି । ବିଭିନ୍ନ ସମୟରେ ବାତ୍ୟା, କ୍ୟାମ୍ପସ୍ ସମ୍ପର୍କିତ ସମସ୍ୟା ଓ ପରେ କୋଭିଡ୍ ପରିସ୍ଥିତିକୁ ନେଇ ନିର୍ବାଚନ ହୋଇପାରିନଥିବା ରିପୋର୍ଟ ରହିଛି। ଫଳରେ ଦୀର୍ଘ ସମୟ ଧରି କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ନିର୍ବାଚିତ ଛାତ୍ର ପ୍ରତିନିଧିତ୍ୱ କରୁନାହାଁନ୍ତି ।