ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର କିଛି ବିଶୃଙ୍ଖଳାକାରୀ କର୍ମକର୍ତ୍ତା ରହିଛନ୍ତି । ଯଦି ସମୟ ଥିବା ପୂର୍ବରୁ ନ ସୁଧୁରନ୍ତି, ତେବେ ଆଗାମୀ ଦିନରେ କଡ଼ା ଆକ୍ସନ ହେବ ବୋଲି ଚେତାବନୀ ଦେଇଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।
ଗତକାଲି ନବୀନ ପଟ୍ଟନାୟକ ତାଙ୍କ ବାସଭବନରେ କର୍ମୀମାନଙ୍କୁ ଭେଟିଥିଲେ । ହିଞ୍ଜିଳି ନିର୍ବାଚନମଣ୍ଡଳୀ ଶେରଗଡ଼ ବ୍ଲକରୁ ଆସିଥିବା ପଞ୍ଚାୟତ ପ୍ରତିନିଧି ଓ ନେତୃବୃନ୍ଦଙ୍କୁ ସୁପ୍ରିମୋ ଭେଟିଥିଲା । ଲୋକଙ୍କ ସମସ୍ୟା ବିଷୟରେ ବୁଝିବା ସହ ଆଗାମୀ ପଞ୍ଚାୟତ ନିର୍ବାଚନ ରଣନୀତି ନେଇ ଆଲୋଚନା କରାଯାଇଥିଲା । ତେବେ ଶେରଗଡ଼ରେ ଥିବା ବିଶୃଙ୍ଖଳାକାରୀଙ୍କୁ ନବୀନ ସିଧାସଳଖ ଚେତାବନୀ ଦେଇଛନ୍ତି । ନବୀନ କହିଛନ୍ତି ଯେ ସେ ଜାଣିଛନ୍ତି ଦଳରେ କିଛି ବିଶୃଙ୍ଖଳାକାରୀ ଅଛନ୍ତି । ନବୀନ ସେମାନଙ୍କ ବାବଦରେ ଅବଗତ ଅଛନ୍ତି । ସୁଧୁରିଯିବାକୁ ପରାମର୍ଶ ଦେଇଛନ୍ତି । ଯଦି ନ ସୁଧୁରନ୍ତି ତେବେ ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ତାଗିଦ କରିଛନ୍ତି ନବୀନ ।