ଭୁବନେଶ୍ୱର: ବର୍ଷାରେ ଭିଜିବ ଦଶହରା । ପାଣିଚିଆ ହୋଇଯିବ ଦୁର୍ଗା ପୂଜା । ଦଶହରା ସମୟରେ ବଙ୍ଗୋପସାଗରେ ଅବପାତର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।
ପାଣିପାଗ ବିଭାଗର ଆକଳନ ଅନୁସାରେ, ଆସନ୍ତା ୧୨ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଘୂର୍ଣ୍ଣିବଳୟ ଧିରେ ଧିରେ ଘନୀଭୂତ ହୋଇ ୧୩ ତାରିଖରେ ଆଣ୍ଡାମାନ ସାଗରରେ ଲଘୁଚାପରେ ପରିଣତ ହୋଇପାରେ। ୧୫ ତାରିଖବେଳକୁ ଏହା ଦକ୍ଷିଣ ବଙ୍ଗୋପସାଗର ଓ ପାର୍ଶ୍ଵବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ରୂପ ନେବାର ସମ୍ଭାବନା ରହିଛି ।
ଆଇଏମଡି ବିସ୍ତାରିତ ଆକଳନରେ କୁହାଯାଇଛି ଯେ ଅକ୍ଟୋବର ପ୍ରଥମ ସପ୍ତାହ ଶେଷ କିମ୍ବା ଦ୍ଵିତୀୟ ସପ୍ତାହ ଆରମ୍ଭ ବେଳକୁ ମୌସୁମୀ ବିଦାୟ ନେଇସାରିଥିବ । ତେଣୁ ବାତ୍ୟା ପାଇଁ ପାଗ ଅନୁକୂଳ ରହିବ । ତେବେ ଅବପାତ କେତେ ପରିମାଣରେ ଘନୀଭୂତ ହେବ ତାହା ସ୍ପଷ୍ଟ ହୋଇନାହିଁ ।
ଆନ୍ତର୍ଜାତିକ ପାଣିପାଗ ମଡେଲ୍ ଜିଏଫଏସ୍ ଓ ଇସିଏଫଲୁଏଫ ମଧ୍ୟ ସମାନ ଆକଳନ କରିଛନ୍ତି । ଜିଏଫଏସର ଆକଳନ ଅନୁସାରେ ଲଘୁଚାପ ସୃଷ୍ଟି ହେବାକୁ ବିଳମ୍ବ ହୋଇପାରେ। ଇସିଏମଫଲୁଏଫ୍ ଆକଳନ ଅନୁସାରେ ଆସନ୍ତା ୧୬ ତାରିଖ ବେଳକୁ ଆନ୍ଧ୍ର ଉପକୂଳ ପାଖାପାଖି ଥିବ ।