ପୁରୀ:ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ଏବଂ ଦେବୋତ୍ତର ସମ୍ପତ୍ତିର ସୁରକ୍ଷା ଦିଗରେ କଟକ ସ୍ଥିତ ରାଜସ୍ୱ ପର୍ଷଦ (ବୋର୍ଡ ଅଫ୍ ରେଭେନ୍ୟୁ) ପକ୍ଷରୁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ ପାଇଛି। ଓ.ଏସ୍.ଏସ୍. କେସ୍ ନଂ. ୬୫୮/୨୦୨୨ର ଶୁଣାଣି କରି ରାଜସ୍ୱ ପର୍ଷଦ ପୁରୀର ତାଳବଣିଆ ତଥା କୁଣ୍ଢେଇବେଣ୍ଟ ସାହି ମୌଜାରେ ଥିବା ଏକ ବହୁମୂଲ୍ୟ ଜମିକୁ ନେଇ ଦାଖଲ ହୋଇଥିବା ରିଭିଜନ ପିଟିସନକୁ ସମ୍ପୂର୍ଣ୍ଣ ଭାବେ ଖାରଜ କରିଦେଇଛନ୍ତି।
ରାଜସ୍ୱ ପର୍ଷଦଙ୍କ ରାୟ ଅନୁଯାୟୀ, ବିବାଦୀୟ ଭୂ-ସମ୍ପତ୍ତିଟି ମୂଳରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅମୃତମଣୋହି ସମ୍ପତ୍ତି ଭାବେ ସରକାରୀ ରେକର୍ଡରେ ପଞ୍ଜୀକୃତ ଥିଲା। ଏହି ମାମଲାରେ ଆବେଦନକାରୀମାନେ ଯେଉଁ ପରବର୍ତ୍ତୀ କାରବାର ବା ହସ୍ତାନ୍ତରର ଦର୍ଶାଇଥିଲେ, ତାହା ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ, ୧୯୫୫ର ଧାରା ୧୬(୨) ଅନୁଯାୟୀ ରାଜ୍ୟ ସରକାରଙ୍କ ଆବଶ୍ୟକୀୟ ପୂର୍ବ ଅନୁମୋଦନ ବିନା କରାଯାଇଥିଲା ବୋଲି ବୋର୍ଡ ସ୍ପଷ୍ଟ କରିଛନ୍ତି। ଏହାସହ ପୂର୍ବରୁ ଦିଆଯାଇଥିବା ନଟ୍-ଫାଇନାଲ୍ ରେକର୍ଡ ଅଫ୍ ରାଇଟ୍ସକୁ ମଧ୍ୟ ବାତିଲ କରାଯାଇଛି।
ପ୍ରଶାସନିକ ନିର୍ଦ୍ଦେଶ ଓ କଡ଼ା ପଦକ୍ଷେପ
ରାଜସ୍ୱ ପର୍ଷଦଙ୍କ ଏହି ಐତିହାସିକ ରାୟ ପରେ ଉକ୍ତ ମୂଲ୍ୟବାନ ଜମି ପୁନର୍ବାର ମହାପ୍ରଭୁଙ୍କ ନାମରେ ସାମିଲ ହୋଇଛି। ବୋର୍ଡ ପକ୍ଷରୁ ବନ୍ଦୋବସ୍ତ କର୍ତ୍ତୃପକ୍ଷଙ୍କୁ ଏହି ଜମିକୁ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀ ମାର୍ଫତ୍ ମନ୍ଦିର ପରିଚାଳନା କମିଟିଙ୍କ ନାମରେ ରେକର୍ଡଭୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଶ୍ରୀମନ୍ଦିର ପ୍ରଶାସନର ପ୍ରତିକ୍ରିୟା
ଏହି ରାୟକୁ ସ୍ୱାଗତ କରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି ଯେ, ମହାପ୍ରଭୁଙ୍କ ଜମିଜମାର ସୁରକ୍ଷା ଏବଂ ସଠିକ୍ ଅଭିଲେଖ ସଂରକ୍ଷଣ ପାଇଁ ପ୍ରଶାସନ ସର୍ବଦା ଦୃଢ଼ ପଦକ୍ଷେପ ନେଇଆସୁଛି। ପୁରୀ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତହସିଲଦାରଙ୍କ ଦ୍ୱାରା ରେକର୍ଡ ସଂଶୋଧନ ପ୍ରକ୍ରିୟାକୁ ଏବେ ଆହୁରି ତ୍ୱରାନ୍ୱିତ କରାଯିବ। ମହାପ୍ରଭୁଙ୍କ ସମ୍ପତ୍ତିକୁ ବେଆଇନ ଭାବେ ହଡ଼ପ କିମ୍ବା ଜମି ମାଫିଆଙ୍କ କୌଣସି ଅନିୟମିତତାକୁ ଆଦୌ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି।