ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ସୁନ୍ଦରପଦା ନିୟୁ ଆଜାଦନଗରରେ ଘଟିଥିବା ଚାଞ୍ଚଲ୍ୟକର ବୋମା ବିସ୍ଫୋରଣ ମାମଲାରେ ତଦନ୍ତ ଜୋରଦାର ହୋଇଛି। ଏହି ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଗୁରୁବାର ଭୁବନେଶ୍ୱର ସ୍ଥିତ ସ୍ପେଶାଲ ଏନଆଇଏ କୋର୍ଟରେ ଦୁଇ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। ସାନୁ ଓରଫ ରୋହନ ରଞ୍ଜନ ରାଉତ ଏବଂ ଅମିୟ ରଞ୍ଜନ ମଲ୍ଲିକଙ୍କ ବିରୋଧରେ ଭାରତୀୟନ୍ୟାୟ ସଂହିତା (BNS), ଏସେନସିଆଲ୍ ସର୍ଭିସେସ୍ (ES Act) ଏବଂ ବିସ୍ଫୋରକ ଆଇନ (Explosives Act) ର ବିଭିନ୍ନ କଡ଼ାଧାରା ଅନ୍ତର୍ଗତ ଅଭିଯୁକ୍ତ କରାଯାଇଛି।
କ’ଣ ଥିଲା ସମ୍ପୂର୍ଣ୍ଣ ଘଟଣା ?
ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ଜାନୁଆରୀ ୨୭ ତାରିଖ ଅପରାହ୍ନରେ ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ନିୟୁ ଆଜାଦନଗରରେ ଏକ ଭୟଙ୍କର ବୋମା ବିସ୍ଫୋରଣ ଘଟିଥିଲା। ଏହି ଘଟଣାରେ ମୋଟ ୪ ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା ଯେ, ସେଠାରେ ବୋମା ତିଆରି କିମ୍ବା ବେଆଇନ ଭାବେ ବୋମା ବିସ୍ଫୋରଣ ସାମଗ୍ରୀ ଏକାଠି କରାଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।
ଏହି ବିସ୍ଫୋରଣରେ ମୁଖ୍ୟ ଅଭିଯୁକ୍ତ ସେହେନଓ୍ବାଜଙ୍କ ସମେତ ତାଙ୍କ ବାନ୍ଧବୀ, ମାଆ ଏବଂ ବନ୍ଧୁ ଅମୀୟ ମଲ୍ଲିକ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ମୁଖ୍ୟ ଅଭିଯୁକ୍ତ ସେହେନଓ୍ବାଜ ଏବଂ ତାଙ୍କ ମାଆଙ୍କର ମୃତ୍ୟୁ ଘଟିଥିଲା।
ଏନଆଇଏର ତଦନ୍ତ ଏବଂ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ
ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏହି ମାମଲାର ତଦନ୍ତ ଭାର ଏନଆଇଏ (NIA) ହାତକୁ ନେଇଥିଲା। ଚଳିତ ବର୍ଷ ଏପ୍ରିଲ ୪ ତାରିଖରେ ଏନଆଇଏ ପକ୍ଷରୁ (RC-01/2026/NIA/BBSR) ନମ୍ବରେ ମାମଲା ରୁଜୁ କରାଯାଇ ତନାଘନା ଆରମ୍ଭ ହୋଇଥିଲା।
ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତମାନେ ବେଆଇନ ଭାବେ ବିସ୍ଫୋରକ ସାମଗ୍ରୀ ସଂଗ୍ରହ କରିବା ଏବଂ ସେଗୁଡ଼ିକୁ ବ୍ୟବହାର କରି ବଡ଼ଧରଣର ବିସ୍ଫୋରଣ ଘଟାଇବା ପାଇଁ ଏକ ବଡ଼ଧରଣର ଷଡ଼ଯନ୍ତ୍ରରେ ସାମିଲ ଥିଲେ। ଏନେଇ ତଦନ୍ତକାରୀ ସଂସ୍ଥା ପକ୍ଷରୁ ଠୋସ୍ ପ୍ରମାଣ ହାତକୁ ଅଣାଯାଇଛି। ତେବେ ମାମଲାରେ ଆହୁରି ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ, ସେନେଇ ଏନଆଇଏର ତଦନ୍ତ ବର୍ତ୍ତମାନ ମଧ୍ୟ ଜାରି ରହିଛି।