ତାମିଲନାଡୁ : ବସ୍ ରେ କଣ୍ଡକ୍ଟର ଭୂମିକାରେ ନଜର ଆସିଲେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ । ଚେନ୍ନାଇର ଏକ ସରକାରୀ ବସରେ ସେ ନିଜେ ଯାତ୍ରୀମାନଙ୍କୁ, ବିଶେଷ କରି ମହିଳାମାନଙ୍କୁ ଟିକେଟ୍ କାଟି ବାଣ୍ଟିଥିବା ଦେଖିବାକୁ ମିଳିଛି । ଆପଣ ଭାବୁଥିବେ ରାଜ୍ୟର ମୁଖ୍ୟମନ୍ତ୍ରୀ କଣ ପାଇଁ ଏମିତି କଣ୍ଡକ୍ଟର କାମ କଲେ । ପ୍ରକୃତ କଥା ହେଲା ଶୁକ୍ରବାର ଗାନ୍ଧୀ ଜୟନ୍ତୀ ଅବସରରେ ତାମିଲନାଡୁ ସରକାରଙ୍କ ପକ୍ଷରୁ ମହିଳା ଓ ଟ୍ରାନ୍ସଜେଣ୍ଡରମାନଙ୍କ ପାଇଁ ମାଗଣା ବସ୍ ଯାତ୍ରା ଯୋଜନା 'ଭେଟ୍ରି ପୟଣମ୍ ଥିଟ୍ଟମ୍' (Vettri Payanam Thittam) ର ସମ୍ପ୍ରସାରଣ କରାଯାଇଛି । ଏହି ଯୋଜନାର ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ ବିଜୟ ନିଜେ ବସରେ ଚଢ଼ି ଯାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ ଏବଂ ଜଣେ ସାଧାରଣ ବସ୍ କଣ୍ଡକ୍ଟରଙ୍କ ଭଳି ମହିଳାମାନଙ୍କୁ ମାଗଣା ଯାତ୍ରା ଟିକେଟ୍ ପ୍ରଦାନ କରିଥିଲେ । ବସରେ ଯାତ୍ରା କରୁଥିବା କଲେଜ ଛାତ୍ରୀମାନେ ଟିକେଟ୍ ବଦଳରେ ମୁଖ୍ୟମନ୍ତ୍ରୀଙ୍କୁ ଚକୋଲେଟ୍ ଦେଇ ଥିଲେ ।
ଉକ୍ତ ଯୋଜନାରେ ଦୈନିକ ପ୍ରାୟ ୮୪.୩୨ ଲକ୍ଷ ମହିଳା ଲାଭାନ୍ୱିତ ହେବାର ଆଶା କରାଯାଉଛି । ହିତାଧିକାରୀମାନେ ରାଜ୍ୟ ପରିବହନ ନିଗମ (STC) ଦ୍ୱାରା ପରିଚାଳିତ ୧୨,୬୯୫ଟି ବସରେ ମାଗଣାରେ ଯାତ୍ରା କରି ପାରିବେ । ଏଥିରେ ଏକ୍ସପ୍ରେସ୍ ଏବଂ ଡିଲକ୍ସ ଶ୍ରେଣୀର ସେବାକୁ ମଧ୍ୟ ସାମିଲ କରାଯାଇଛି । ପୂର୍ବରୁ ଏହି ସୁବିଧା କେବଳ କେତେକ ସୀମିତ ଶ୍ରେଣୀର ସାଧାରଣ ବସରେ ଉପଲବ୍ଧ ଥିଲା, କିନ୍ତୁ ଏବେ ଏଥିରେ ଏକ୍ସପ୍ରେସ୍, ଡିଲକ୍ସ ଏବଂ ମନୋନୀତ ପାହାଡ଼ିଆ ଅଞ୍ଚଳର ବସ୍ ସେବାକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି ।, ଏହି ଯୋଜନାର ଲାଭ ଉଠାଇବା ପାଇଁ କୌଣସି ଆୟ ସୀମା ସ୍ଥିର କରାଯାଇ ନାହିଁ ଏବଂ ଗୋଟିଏ ଦିନରେ ଯାତ୍ରା ସଂଖ୍ୟା ଉପରେ ମଧ୍ୟ କୌଣସି କଟକଣା ନାହିଁ ।
'ଭେଟ୍ରି ପୟନମ୍' ନାମଟି ଶାସକ ଦଳ 'ତାମିଲଗା ଭେଟ୍ରି କାଝାଗମ୍' (TVK) ରୁ ପ୍ରେରିତ, ଯାହାର ଅର୍ଥ ହେଉଛି ବିଜୟୀ ଯାତ୍ରା ।
ତେବେ ମୁଖ୍ୟମନ୍ତ୍ରୀ ବିଜୟଙ୍କର ଏହି ସରଳ ଏବଂ ନିଆରା ଅନ୍ଦାଜର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଛି ଏବଂ ତାମିଲନାଡୁର ସାଧାରଣ ଜନତା ଏହାକୁ ବେଶ୍ ପସନ୍ଦ କରୁଛନ୍ତି ।