କେନ୍ଦ୍ରାପଡ଼ା: ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ମାମଲା ଏବେ ଜାତୀୟ ସ୍ତରରେ ପହଁଚିଛି । ଜାତୀୟ ମାନବାଧିକାର ଆୟୋଗଙ୍କ ପକ୍ଷରୁ ଏହି ମାମଲାର ତଦନ୍ତ କରାଯିବ । ଏନ୍ଏଚ୍ଆରସିର ତିନି ଜଣିଆ ଟିମ ମହାକାଳପଡ଼ା ବ୍ଲକ କାର୍ଯ୍ୟାଳୟରେ ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ ତଦନ୍ତ କରିବ । ଏ ନେଇ ଜିଲ୍ଲାପାଳ ଏବଂ ଏସପିଙ୍କ ଚିଠି ଲେଖି ଆଗୁଆ ଅବଗତ କରାଇଛି ଏନ୍ଏଚ୍ଆରସି ।
ଆସନ୍ତା ୫ ତାରିଖରେ ତିନି ଜଣିଆ ଟିମ୍ କେନ୍ଦ୍ରାପଡ଼ାରେ ପହଁଚି ତଦନ୍ତ କରିବେ । ତଦନ୍ତକାରୀ ଦଳରେ ଅଛନ୍ତି ବରିଷ୍ଠ ଏସପି କିଶନ ସିଂ, ଗୁଗୁନ ରାମ ଓ ଶଶିବାଳା ଶର୍ମା ସାମିଲ ଅଛନ୍ତି । ଗତ ଜୁନ ୧୧ ତାରିଖରେ ମହାକାଳପଡ଼ା ବିଡ଼ିଓଙ୍କ କାର୍ୟ୍ୟାଳୟରେ ଚାମେଲି ଓଝାଙ୍କ ସହିତ କଣ ଘଟିଥିଲା ସେ ନେଇ ସମସ୍ତ ଅଧିକାରୀଙ୍କୁ ପଚରାଉଚରା କରାଯିବ । ବିଡ଼ିଓ, ପ୍ରତ୍ୟକ୍ଷଦର୍ଶୀ, ଚିକିତ୍ସା କରିଥିବା ଡାକ୍ତରଙ୍କୁ ଜେରା କରାଯାଇପାରେ ।
ଉଲ୍ଲେଖ ଯୋଗ୍ୟ, ଗତ ଜୁନ୍ ୧୧ ତାରିଖରେ ଚାମେଲି ଓଝା ବିଡ଼ିଓଙ୍କୁ ବକେୟା ବିଲ୍ ସମ୍ପର୍କରେ ଆଲୋଚନା କରିବାକୁ ଯାଇଥିବାବେଳେ ଯୁକ୍ତି ତର୍କ ହୋଇଥିଲା । ଚାମେଲି ଓଝାଙ୍କ ସହିତ ଯାଇଥିବା ଅନ୍ୟ ବ୍ୟକ୍ତି ବିନା ଅନୁମତିରେ ବିଡ଼ିଓଙ୍କ ଚ୍ୟାମ୍ବର ଭିତରକୁ ପଶିବା ସହିତ ଭିଡ଼ିଓ ଉତ୍ତୋଳନ କରିଥିଲେ । ଯାହାକୁ ବିଡ଼ିଓ ବାରଣ କରିଥିଲେ । ଏହି ସମୟରେ ସେଠାରେ ପୂର୍ବରୁ ଉପସ୍ଥିତ ଥିବା ପାର୍ଥସାରଥୀ ଓ ହିମାଂଶୁଙ୍କର ଚାମେଲିଙ୍କ ସହିତ ଯୁକ୍ତି ତର୍କ ହୋଇଥିଲା । ଯାହାର ଭିଡ଼ିଓ ମଧ୍ୟ ଭାଇରାଲ ହୋଇଥିଲା । ଚାମେଲି ବିଡିଓଙ୍କ ଚାମ୍ୱରରେ ୭ ଜଣ ଦୁର୍ବ୍ୟବହାର କରିଥିବା ମହାକାଳପଡ଼ା ଥାନାରେ ଅଭିଯୋଗ କରିଥିଲେ ।