ନୂଆଦିଲ୍ଲୀ: ଦୀର୍ଘ ବର୍ଷ ହେବ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଅନ୍ତ ହେବାର ଆଶା ଉଜ୍ଜୀବିତ ହୋଇଛି । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ୟୁକ୍ରେନ ସହିତ ଚାଲିଥିବା ଯୁଦ୍ଧକୁ ଶେଷ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ସମାଧାନ ସୂତ୍ରକୁ ପ୍ରଶଂସା କରିଛନ୍ତି । ଯୁଦ୍ଧ ଶେଷ କରିବାକୁ ମୋଦୀଙ୍କର ଆନ୍ତରିକ ଇଚ୍ଛା ଅଛି ଏବଂ ତାଙ୍କ ନିକଟରେ ଭଲ ସୂତ୍ର ମଧ୍ୟ ରହିଥିବା କହିଛନ୍ତି ପୁତିନ ।
ଏକ ସାଧାରଣ ସଭାରେ ମୋଦୀଙ୍କୁ ଜଣେ ବିଶ୍ୱ ନେତା ଭାବେ ସମ୍ବୋଧନ କରି ପୁତିନ କହିଛନ୍ତି ଯେ ମୋଦୀ ସବୁବେଳେ ରୁଷ ସହିତ ନିଜର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ବଜାୟ ରଖିବା ସହିତ ୟୁକ୍ରେନ ସହ ଚାଲିଥିବା ସଂଘର୍ଷକୁ ଶେଷ କରିବା ପ୍ରସଙ୍ଗ ଉଠାଇଛନ୍ତି । ୟୁକ୍ରେନ୍ ସଂଘର୍ଷର ଯଥାଶୀଘ୍ର ସମାଧାନ କରିବା ପ୍ରସଙ୍ଗକୁ ନିରନ୍ତର ଭାବେ ଉଠାଇ ଆସୁଛନ୍ତି। ମୋଦୀ ଯୁଦ୍ଧ ଶେଷ କରିବାକୁ ଭଲ ପ୍ରସ୍ତାବ ଦେଇଛନ୍ତି । ମୋଦୀଙ୍କ ପ୍ରସ୍ତାବକୁ ଦୁଇ ପକ୍ଷ ସ୍ୱୀକାର କରିବାକୁ ପ୍ରସ୍ତୁତ ଅଛନ୍ତି ।
ରାଷ୍ଟ୍ରପତି ପୁତିନ ମୋଦୀଙ୍କୁ ଏହି ଉଦ୍ୟମ ପାଇଁ କୃତଜ୍ଞତା ଜଣାଇଛନ୍ତି । ଖୁବଶୀଘ୍ର ଶାନ୍ତିପୂର୍ଣ୍ଣ ଜରିଆରେ ଯୁଦ୍ଧ ଶେଷ ହୋଇପାରେ ବୋଲି ପୁତିନ ଆଶାବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ଏକାଧିକ ବାର ଦୁଇ ରାଷ୍ଟ୍ର ନେତାଙ୍କ ସହିତ ଯୁଦ୍ଧ ଶେଷ କରିବାକୁ ଆଲୋଚନା କରିବା ସହିତ ପ୍ରସ୍ତାବ ମଧ୍ୟ ଦେଇଛନ୍ତି । ଅନେକ ବିଶ୍ୱ ସମ୍ମିଳନୀରେ ମୋଦୀ ଶାନ୍ତିର ମାର୍ଗ ଆପଣାଇବାକୁ ଆହ୍ୱାନ ମଧ୍ୟ କରିଛନ୍ତି ।