ନାୟୋଗା: ଜାପାନର ନାୟୋଗାରେ ଚାଲିଥିବା ଏସୀୟ କ୍ରୀଡ଼ା-୨୦୨୬ରେ ଶନିବାର ପୁଣି ଭାରତ ବିଜୟ ଅଭିଯାନ ଆରମ୍ଭ କରିଛି । ସକାଳୁ ସକାଳୁ ଭାରତ ଖାତାକୁ ଦୁଇଟି ସ୍ୱର୍ଣ୍ଣ ପଦକ ଆସିଛି । ତୀରଚାଳନାରେ କୁମକୁମ ମୋହୋଦ ବ୍ୟକ୍ତିଗତ ଭାବେ ଗୋଟିଏ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେହିପରି ଗଲ୍ଫରେ ପ୍ରଣବୀ ଉର୍ସ ଐତିହାସିକ ସ୍ୱର୍ଣ୍ଣ ହାସଲ କରିଛନ୍ତି । ସେ ପ୍ରଥମ ଭାରତୀୟ ଭାବେ ଗଲ୍ଫରେ ସ୍ୱର୍ଣ୍ଣ ଜିତିବାର ଗୌରବ ଅର୍ଜନ କରିଛନ୍ତି ।
ଭାରତୀୟ ଧନୁର୍ଦ୍ଧର କୁମକୁମ ମୋହୋଦ, ଯିଏ ପୂର୍ବରୁ ମହିଳା ରିକର୍ଭ ଦଳର ସଦସ୍ୟ ଭାବେ ଏକ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିଥିଲେ, ସେ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି । ସେ ମହିଳା ବ୍ୟକ୍ତିଗତ ରିକର୍ଭ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହି ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିବାରେ ପ୍ରଥମ ଭାରତୀୟ ମହିଳା ଭାବେ ଏହି ଗୌରବ ହାସଲ କରିଛନ୍ତି । ଫାଇନାଲ୍ ମୁକାବିଲାରେ କୁମକୁମ ଦକ୍ଷିଣ କୋରିଆର ୟେଜିନ୍ ଓହ୍ ଙ୍କୁ ୬-୫ ସ୍କୋରରେ ପରାସ୍ତ କରିଥିଲେ। ଗତକାଲି ଭାରତୀୟ ମହିଳା ଦଳ ରିକର୍ଭ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଥିଲା ।
ସେହିପରି ଭାରତୀୟ ମହିଳା ଗଲ୍ଫ ଖେଳାଳି ପ୍ରଣବୀ ଉର୍ସ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏସୀୟ କ୍ରୀଡ଼ାରେ ଗଲ୍ଫରେ ସ୍ୱର୍ଣ୍ଣ ପଦକ ଜିତିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା । ଏହା ବ୍ୟତୀତ ଭାରତୀୟ ମହିଳା ଦଳ ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ଜିତିଛି ।
ଭାରତ ବର୍ତ୍ତମାନ ସୁଦ୍ଧା ୧୮ଟି ସ୍ୱର୍ଣ୍ଣ, ୨୬ଟି ରୌପ୍ୟ ଓ ୩୫ କାଂସ୍ୟ ପଦକ ସହିତ ମୋଟ ୭୯ଟି ପଦକ ନିଜ ନାମରେ କରିସାରିଛି । ଏହା ସହିତ ପଦକ ତାଲିକାରେ ପଞ୍ଚମ ସ୍ଥାନରେ ରହିଛି । ପ୍ରଥମରେ ଚୀନ (୧୬୨ ସ୍ୱର୍ଣ୍ଣ), ଦ୍ୱିତୀୟରେ ଜାପାନ (୭୩ ସ୍ୱର୍ଣ୍ଣ), ତୃତୀୟରେ ଦକ୍ଷିଣ କୋରିଆ (୩୩ ସ୍ୱର୍ଣ୍ଣ) ଏବଂ ଚତୁର୍ଥରେ ଉଜବେକିସ୍ତାନ (୨୦ ସ୍ୱର୍ଣ୍ଣ) ରହିଛି ।