ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ଲେଗ୍-ସ୍ପିନର୍ ୟୁଜବେନ୍ଦ୍ର ଚହଲ ରେଡ୍ ବଲ୍ ଅର୍ଥାତ୍ ପ୍ରଥମ ଶ୍ରେଣୀ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ୍ ସେୟାର କରି ସେ ଏହି ସୂଚନା ଦେଇଛନ୍ତି। ସେ କେବଳ ଲାଲ୍ ବଲ୍ କ୍ରିକେଟ୍ ଛାଡ଼ିଥିବାବେଳେ ସୀମିତ ଓଭରର କ୍ରିକେଟ୍ ଖେଳିବା ଜାରି ରଖିବେ।
ଭାରତୀୟ ସୀମିତ ଓଭର କ୍ରିକେଟରେ ଏକ ପ୍ରମୁଖ ମ୍ୟାଚ୍ ଓ୍ଵିନର୍ ଭାବେ ପରିଚିତ ଥିବା ଚହଲ କେବେ ହେଁ ଦେଶ ପାଇଁ ଟେଷ୍ଟ୍ କ୍ରିକେଟ୍ ଖେଳିବାର ସୁଯୋଗ ପାଇ ନଥିଲେ। ନିଜର ଅବସର ପୋଷ୍ଟରେ ସେ ଏହାକୁ ନେଇ କହିଛନ୍ତି ଯେ, ଟେଷ୍ଟ୍ କ୍ଯାପ୍ ପିନ୍ଧିବାର ସ୍ୱପ୍ନ ତାଙ୍କର ଅଧା ରହିଗଲା, କିନ୍ତୁ ପ୍ରଥମ ଶ୍ରେଣୀ କ୍ରିକେଟ୍ର ଏହି ଦୀର୍ଘସ୍ଥାୟୀ ଯାତ୍ରା ତାଙ୍କୁ ଜୀବନର ଅନେକ ଶିକ୍ଷା ଓ ସୁନ୍ଦର ସ୍ମୃତି ଦେଇଛି।
ଚହଲ ୩ ନଭେମ୍ବର ୨୦୦୯ରେ ମଧ୍ୟପ୍ରଦେଶ ବିପକ୍ଷରେ ହରିୟାଣା ପକ୍ଷରୁ ରଣଜୀ ଟ୍ରଫି ଖେଳି ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ପାଦ ଦେଇଥିଲେ। ସେପଟେ ଲଣ୍ଡନର ଐତିହାସିକ ଲର୍ଡସ୍ ମଇଦାନରେ ମିଡିଲେକ୍ସ ବିପକ୍ଷ କାଉଣ୍ଟି ମ୍ୟାଚ୍କୁ ସେ ତାଙ୍କ କ୍ୟାରିୟରର ଶେଷ ପ୍ରଥମ ଶ୍ରେଣୀ ମ୍ୟାଚ୍ ଭାବେ ଖେଳିଥିଲେ। ନିଜର ୧୭ ବର୍ଷର ଲମ୍ବା କ୍ୟାରିୟରରେ ସେ ମୋଟ ୪୯ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୭୯ଟି ପାରିରେ ୧୪୮ଟି ଓ୍ଵିକେଟ୍ ଅକ୍ତିଆର କରିଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ରହିଛି ୯୯ ରନ୍ ଦେଇ ୯ଟି ଓ୍ଵିକେଟ୍ ନେବା ଏବଂ ସେ ୬ ଥର ୫ ଓ୍ଵିକେଟ୍ ହାସଲ କରିଛନ୍ତି।
ଆଗାମୀ ଦିନରେ ଚହଲ ଆନ୍ତର୍ଜାତୀୟ ଦିନିକିଆ ଓ ଟି-୨୦ ମ୍ୟାଚ୍ ସହିତ ଆଇପିଏଲ୍ ଏବଂ ଅନ୍ୟାନ୍ୟ ସୀମିତ ଓଭର ପ୍ରତିଯୋଗିତାରେ ନିଜର ଖେଳ ଜାରି ରଖିବେ। ଲାଲ୍ ବଲ୍ କ୍ରିକେଟ୍କୁ ଅଲବିଦା କହିବା ପରେ ଏବେ ସେ ସମ୍ପୂର୍ଣ୍ଣ ଭାବେ ହ୍ଵାଇଟ୍-ବଲ୍ କ୍ରିକେଟ୍ ଉପରେ ଧ୍ୟାନ କେନ୍ଦ୍ରୀତ କରିବେ।