ନାଗୋୟା: ଏସୀୟ କ୍ରୀଡ଼ାରେ ମୁଷ୍ଟି ଯୋଦ୍ଧା ପ୍ରତିଯୋଗିତାରେ ଭାରତୀୟ ମହିଳା ଖେଳାଳି ଲବଲୀନା ବୋରଗୋହେନ ଦେଶକୁ ଆଉ ଏକ ସ୍ୱର୍ଣ୍ଣ ଦେଇଛନ୍ତି । ୭୫ କିଲୋଗ୍ରାମ ବର୍ଗରେ ଲବଲୀନାଙ୍କୁ ଏହି ସଫଳତା ମିଳିଛି । ଚଳିତ ଏସୀୟ କ୍ରୀଡ଼ାରେ ମହିଳାଙ୍କ ଖେଳାଳିଙ୍କ ପ୍ରଦର୍ଶନ ବେଶ ଉଚ୍ଚକୋଟିର ରହିଥିବା ପରିଲକ୍ଷିତ ହେଉଛି । ଏହାକୁ ମିଶାଇ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି ।
ଫାଇନାଲ୍ରେ ଲବଲୀନା ଚୀନ୍ର ଜିୟି ବାଓଙ୍କ ସହିତ ମୁକାବିଲା କରିଥିଲେ । ସେ ସମ୍ପୂର୍ଣ୍ଣ ମ୍ୟାଚରେ ଚୀନକୁ ଶୋଚଭାବେ ପରାଜୟ କରିଛନ୍ତି । ସେ ବାଓଙ୍କୁ ୫-୦ ବ୍ୟବଧାନରେ ହରାଇ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏସୀୟ କ୍ରୀଡ଼ାର ମହିଳା ବକ୍ସିଂରେ ଭାରତ ପାଇଁ ଏହା ମାତ୍ର ଦ୍ୱିତୀୟ ପଦକ । ଏହା ପୂର୍ବରୁ ୨୦୧୪ ମସିହାରେ ମେରୀ କମ୍ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ ।
ଭାରତ ନୌଚାଳନା ମହିଳା ସ୍କିଫ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛି । ଏହି ପ୍ରତିଯୋଗିତା ଗତକାଲି ଅନୁଷ୍ଠିତ ହୋଇଥିଲା ଏବଂ ସେତେବେଳେ ଭାରତ କୌଣସି ପଦକ ଜିତି ନଥିଲେ ମଧ୍ୟ, ଚୀନ୍କୁ ଅଯୋଗ୍ୟ ଘୋଷଣା କରାଯିବା ପରେ ଭାରତୀୟ ଦଳକୁ ଏହି ପଦକ ପ୍ରଦାନ କରାଯାଇଛି । ବର୍ତ୍ତମାନ ହର୍ଷିତା ଏବଂ ଶୀତଲ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।
ଭାରତ ତୀରନ୍ଦାଜୀ ରେ ଆଉ ଏକ ପଦକ ହାସଲ କରିଛି । ମିଶ୍ରିତ ରିକର୍ଭ ଦଳ ରୌପ୍ୟ ପଦକ ଜିତିଛି । ଫାଇନାଲ୍ ମୁକାବିଲାରେ କୁମକୁମ୍ ଏବଂ ଧୀରଜଙ୍କ ଯୋଡ଼ି ଚୀନ୍ଠାରୁ ୫-୩ ବ୍ୟବଧାନରେ ପରାଜିତ ହୋଇଥିଲେ । ଚୀନ୍ ଶେଷ ପର୍ୟ୍ୟାୟରେ ଚମତ୍କାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲା। ଏହା ପୂର୍ବରୁ ମହିଳା ଦଳ ସ୍ୱର୍ଣ୍ଣ ପଦକ ଦେଇଛି ।
ନେତ୍ରା କୁମାନନ୍ ଏକକ ମହିଳା ନୌଚାଳନା ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ସେଲିଂ କ୍ଷେତ୍ରରେ ଏହା ତୃତୀୟ ପଦକ ଅଟେ ।
ପଦକ ସୁନିଶ୍ଚିତ କଲେ ସୁଜିତ
ସୁଜିତ୍ କୁସ୍ତିରେ ଭାରତ ପାଇଁ ଏକ ପଦକ ସୁନିଶ୍ଚିତ କରିଛନ୍ତି। ସେମିଫାଇନାଲରେ ଜାପାନର କୋଟାରୋ କିୟୋକାଙ୍କୁ ପରାସ୍ତ କରି ସୁଜିତ୍ ପୁରୁଷଙ୍କ ୬୫ କିଗ୍ରା ବର୍ଗର ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି । ଏହାର ଅର୍ଥ ହେଉଛି ସେ ବର୍ତ୍ତମାନ ନିଜ ପାଇଁ ଅତିକମରେ ଏକ ରୌପ୍ୟ ପଦକ ସୁନିଶ୍ଚିତ କରିସାରିଛନ୍ତି। ସେ କ୍ୱାର୍ଟର-ଫାଇନାଲରେ ଇରାନର ଆବାସ୍ ଇବ୍ରାହିମଜାଦେହ-ସାଭାଦକୋହିଙ୍କୁ ପରାସ୍ତ କରିଥିଲେ ।
ଭାରତ ପଦକ ତାଲିକାରେ ଷଷ୍ଠ ସ୍ଥାନକୁ ଆସିଛି । ଅକ୍ଟୋବର ୨ ତାରିଖ, ପୂର୍ବାହ୍ନ ୧୧ଟା ୪୦ ସୁଦ୍ଧା ଭାରତର ପଦକ ସଂଖ୍ୟା ୭୦ରେ ପହଁଚିଥିଲା । ଯେଉଁଥିରେ ୧୨ଟି ସ୍ୱର୍ଣ୍ଣ, ୨୪ଟି ରୌପ୍ୟ, ଏବଂ ୩୪ଟି କାଂସ୍ୟ ପଦକ ଅନ୍ତର୍ଭୁକ୍ତ ।
ଅଧିକ ପଢ଼ନ୍ତୁ:- ଚତୁର୍ଥ ସ୍ୱର୍ଣ୍ଣ ଜିତିଲା ତୀରନ୍ଦାଜୀ ଦଳ, ଦକ୍ଷିଣ କୋରିଆକୁ ହରାଇଲା ଭାରତ