ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ କ୍ରିକେଟ ନିୟମାବଳୀରେ ବଡ଼ ପରିବର୍ତ୍ତନ କରିଛି । ଗୁରୁବାର ଏ ନେଇ ଆଇସିସି ପକ୍ଷରୁ ନୂତନ ନିୟମାବଳୀ ଜାରି ହୋଇଛି । ବ୍ୟାଟିଂ ଠାରୁ ଆରମ୍ଭ କରି ବୋଲିଂ ପର୍ଯ୍ୟନ୍ତ ଅନେକ ବଡ଼ ବଡ଼ ପରିବର୍ତ୍ତନ ହୋଇଛି । ପୂର୍ବ ନିୟମ ସହିତ ନୂତନ ନିୟମ ମଧ୍ୟ ଯୋଡ଼ା ଯାଇଛି । ପୁରୁଷ, ମହିଳା ଏବଂ ଜୁନିୟର ଦଳ ପାଇଁ ନିୟମ ଲାଗୁ ହେବ ।
ଆଇସିସିର ନୂତନ ନିୟମ
ଯଦି କୌଣସି ବ୍ୟାଟ୍ସମ୍ୟାନ୍ ନିର୍ଦ୍ଧାରିତ ସମୟ ମଧ୍ୟରେ ବ୍ୟାଟିଂ ନ କରନ୍ତି ତେବେ ଦଳ ଉପରେ ଅତିରିକ୍ତ ୫ ରନ୍ ବୋଝ ପଡ଼ିବ । ଅର୍ଥାତ୍ ବୋଲିଂ କରୁଥିବା ଦଳକୁ ଆଉ ୫ ରନ୍ ବୋନସ୍ ମିଳିବ । ପ୍ରଥମ ଭୁଲରେ ଚେତାବନୀ ମିଳିବ, ଦ୍ୱିତୀୟ ଭୁଲରେ ଅନ୍ତିମ ଚେତାବନୀ ମିଳିବ । ଏହା ପରେ ବୋଲିଂ କରୁଥିବା ଦଳକୁ ଆଉ ୫ ରନ୍ ମିଳିବ । ଯଦି ବାରମ୍ବାର ନିୟମ ଉଲ୍ଲଂଘନ ହୁଏ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ସେହିପରି ଟେଷ୍ଟ ମ୍ୟାଚରେ ଗୋଲାପୀ ବଲ ବ୍ୟବହାର କରାଯିବ । ଆପୋସ ସହମତିରେ ଦିନରେ ଖେଳାଯିବାକୁ ଥିବା ଟେଷ୍ଟ ମ୍ୟାଚ୍ ସିରିଜରେ ଗୋଲାମୀ ରଙ୍ଗର ବଲ୍ ବ୍ୟବହାର ହେବ । ଏହା ଦ୍ୱାରା କମ୍ ଆଲୋକରେ ପ୍ରଭାବିତ ହେବାକୁ ଥିବା ମ୍ୟାଚ୍ କୁ ଏଡ଼ାଇ ଦିଆଯାଇପାରିବ । ଏହା ମ୍ୟାଚ୍ ଆରମ୍ଭରୁ ନିଷ୍ପତ୍ତି ହେବ । ମ୍ୟାଚ୍ ଆରମ୍ଭ ହେବା ପରେ ଆଉ ବଲ୍ ପରିବର୍ତ୍ତନ କରାଯାଇ ପାରିବ ନାହିଁ ।
ତୃତୀୟ ନିୟମ ହେଉଛି ମହିଳା ଓ ଜୁନିୟର କ୍ରିକେଟ୍ ପାଇଁ ବଲ୍ ଆକାର ଏବଂ ଓଜନ ସମ୍ବନ୍ଧୀୟ ନୂତନ ନିୟମ ଲାଗୁ କରାଯାଇଛି । ବର୍ତ୍ତମାନ ପୁରୁଷ, ମହିଳା ଏବଂ ଜୁନିୟର କ୍ରିକେଟ୍ ପାଇଁ ଆକାର ଓ ଓଜନ ସମ୍ବନ୍ଧୀୟ ସ୍ୱତନ୍ତ୍ର ନିର୍ଦ୍ଦିଷ୍ଟ ମାନକ ସ୍ଥିର କରାଯାଇଛି ।
'ଓଭରଥ୍ରୋ' ନିୟମରେ ବଡ଼ ପରିବର୍ତ୍ତନ ହୋଇଛି । ଯଦି ଜଣେ ଫିଲ୍ଡର ରନ୍ ରୋକିବା କିମ୍ବା ରନ୍-ଆଉଟ୍ କରିବା ଉଦ୍ଦେଶ୍ୟରେ ଷ୍ଟମ୍ପ ଆଡ଼କୁ ବଲ୍ ଫିଙ୍ଗନ୍ତି, ତେବେ ଏହାକୁ 'ଓଭରଥ୍ରୋ' ଭାବରେ ଗ୍ରହଣ କରାଯିବ। ତଥାପି, କେବଳ ବଲ୍ ଅଟକାଇବା କିମ୍ବା ଅନ୍ୟ ଜଣେ ଫିଲ୍ଡରଙ୍କୁ ପାସ୍ କରିବା ସମୟରେ ହେଉଥିବା 'ମିସ୍-ଫିଲ୍ଡ' (misfield) କୁ 'ଓଭରଥ୍ରୋ' ବୋଲି ଧରାଯିବ ନାହିଁ।
ବଲ୍ଟି ସମ୍ପୂର୍ଣ୍ଣ ଭାବେ ସ୍ଥିର ହୋଇଛି କି ନାହିଁ, ତାହା ନିର୍ଦ୍ଧାରଣ କରିବା କ୍ଷେତ୍ରରେ ଏବେ ଅମ୍ପାୟାରମାନଙ୍କର ଅଧିକାର ରହିବ । ବଲ୍ଟି ବୋଲର୍ କିମ୍ବା ୱିକେଟ୍କିପରଙ୍କ ହାତରେ ରହିବା ଆଉ ବାଧ୍ୟତାମୂଳକ ହେବ ନାହିଁ । ଉତ୍କଣ୍ଠାପୂର୍ଣ୍ଣ ମୁକାବିଲା, ଯେପରିକି ମ୍ୟାଚ୍ର ଶେଷ ବଲ୍ ସମୟରେ, ଏହି ନିୟମ ବିଶେଷ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ ।
ଯଦି ଜଣେ ଫିଲ୍ଡର ବଲ୍କୁ କ୍ୟାଚ୍ କରି ଷ୍ଟମ୍ପ୍କୁ ଖସାଇଦିଅନ୍ତି, ତେବେ ବଲ୍ ଉପରେ ତାଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିବା ଆବଶ୍ୟକ। ଷ୍ଟମ୍ପ୍ ଖସିବା ସମୟରେ କେବଳ ହାତ ଲଗାଇ ବଲ୍କୁ ସ୍ପର୍ଶ କରିବାକୁ ଯଥେଷ୍ଟ ବୋଲି ବିବେଚନା କରାଯିବ ନାହିଁ ।
ଆଇସିସିର ଏହି ନୂତନ ନିୟମ ଆଜିଠାରୁ ଲାଗୁ ହେଉଛି । ଅକ୍ଟୋବର ୧ ପୂର୍ବରୁ ଆରମ୍ଭ ହୋଇଥିବା ଟୁର୍ଣ୍ଣାମେଣ୍ଟ ପାଇଁ ଏହି ନିୟମ ପ୍ରଯୁଜ୍ୟ ନୁହେଁ ।