ଏସୀୟ କ୍ରୀଡ଼ା-୨୦୨୬ରେ ଭାରତ ଗୋଷ୍ଠୀଗତ କ୍ରୀଡ଼ାରେ ଉଚ୍ଚ କୋଟିର ପ୍ରଦର୍ଶନ ଜାରି ରଖିଛି । ପ୍ରଥମେ କ୍ରିକେଟ୍ ପରେ ଏବେ ହକିରେ ପୁରୁଷ ଟିମ୍ ଫାଇନାଲକୁ ପ୍ରବେଶ କରିଛି । ସେମି ଫାଇନାଲରେ ଭାରତ ତାର ପାରମ୍ପାରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ୪-୩ ଗୋଲ୍ ରେ ଧୂଳି ଚଟାଇ ଫାଇନାଲରେ ସ୍ଥାନ ଅକ୍ତିଆର କରିଛି ।
ଗୁରୁବାର ଖେଳାଯାଇଥିବା ସେମି ଫାଇନାଲ ମୁକାବିଲାରେ ଅଧିନାୟକ ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ ଭାରତୀୟ ଦଳ ଷ୍ଟାଡିୟମରେ ପ୍ରବେଶ କରିଥିଲା । ପୁଲ୍-ଏରେ ଭାରତ ସମସ୍ତ ମ୍ୟାଚ୍ ୫ଟି ମ୍ୟାଚ୍ ଜିତିବା ପରେ ସେମିଫାଇନାଲରେ ପାକିସ୍ତାନକୁ ଭେଟିଥିଲା । ଆରମ୍ଭରୁ ଭାରତ ପାକିସ୍ତାନ ଉପରେ ନିଜର ଦବଦବା ଜାହିର କରିଥିଲା । କ୍ୟାପଟେନ୍ ହରମନପ୍ରୀତ ପ୍ରଥମ କ୍ୱାର୍ଟରର ୫ ମିନିଟରେ ପଞ୍ଚମ ପେନାଲ୍ଟି କର୍ଣ୍ଣରେ ପ୍ରଥମ ଗୋଲ୍ ଦେଇ ଖାତା ଖୋଲିଥିଲେ । ପୁଣି ଥରେ ୧୩ ମିନିଟ୍ ହରମନପ୍ରୀତ ଆଉ ଏକ ଗୋଲ୍ କରି ଦଳର ସ୍ଥିତିକୁ ୨-୦ରେ ରଖିଥିଲେ । ପାକିସ୍ତାନକୁ ମଧ୍ୟ ଦୁଇଟି ପେନାଲ୍ଟି କର୍ଣ୍ଣର ମିଳିଥିଲା, ଯାହାକୁ ସେ ହାତଛଡ଼ା କରିଥିଲା ।
ଦ୍ୱିତୀୟ କ୍ୱାର୍ଟରରେ ୨୪ ମିନିଟରେ ଶିଲାନନ୍ଦ ଲାକଡ଼ା ତୃତୀୟ ଗୋଲ୍ କରିଥିଲେ । ଆଉ ଭାରତ ସ୍କୋର ବୋର୍ଡ ୩-୦ ରହିଥିଲା । କିନ୍ତୁ ପାକିସ୍ତାନ ଦ୍ୱିତୀୟ କ୍ୱାର୍ଟରରେ ଫର୍ମକୁ ଫେରିଥିଲା । ପାକିସ୍ତାର ଅବୁ ମହମୁଦ ପେନାଲ୍ଟି କର୍ଣ୍ଣରରେ ପ୍ରଥମ ଗୋଲ୍ ଦେଇ ଖାତା ଖୋଲିଥିଲେ । ତୃତୀୟ କ୍ୱାର୍ଟର ବେଳକୁ ମ୍ୟାଚ୍ ରୋମାଞ୍ଚକର ରହିଥିଲା । ଦୀଲପ୍ରୀତଙ୍କ କାରଣରୁ ଜଣେ ଖେଳାଳି ଚେତାଶୂନ୍ୟ ହୋଇପଡ଼ିଥିଲେ । ରେଫ୍ରି ଦିଲପ୍ରୀତଙ୍କୁ ଗ୍ରୀନ୍ ଗାର୍ଡ ଦେଇ ବସାଇ ଦେଇଥିଲେ । ଫଳରେ ଭାରତ ଗୋଟିଏ କମ୍ ଖେଳାଳିରେ ମ୍ୟାଚ୍ ଜାରି ରଖିଲା । ଏହା ପରେ ୪୫ ମିନିଟ୍ ରେ ପାକିସ୍ତାନର ହନ୍ନାନ ଶାହିଦ ଦ୍ୱିତୀୟ ଗୋଲ୍ ଦେବା ଦ୍ୱାରୀ ତୃତୀୟ କ୍ୱାର୍ଟର ଶେଷ ବେଳକୁ ସ୍କୋରକୁ ୩-୨ରେ ରହିଥିଲା । ପୁଣି ଚତୁର୍ଥ କ୍ୱାର୍ଟରେ ୪୯ ମିନିଟ୍ ସମୟରେ ପାକିସ୍ତାନ ଆଉ ଏକ ଗୋଲ୍ କରି ମ୍ୟାଚ୍ ସ୍ଥିତିକୁ ବରାବାର କରିଦେଇଥିଲା । ଯାହା ଭାରତର ମୁଣ୍ଡ ବ୍ୟଥାର କାରଣ ପାଲଟିଥିଲା । ପ୍ରଥମାର୍ଦ୍ଧରେ ୩ଟି ଗୋଲ୍ କରିଥିବା ଭାରତ ଦ୍ୱିତୀୟାର୍ଦ୍ଧରେ ଗୋଟିଏ ବି ଗୋଲ୍ କରି ପାରିନଥିଲା । ଏହା ପରେ ମ୍ୟାଚ୍ ଆହୁରି ରୋମାଞ୍ଚକର ହୋଇଥିଲା ।
ମାତ୍ର ଖେଳ ଶେଷ ହେବାରୁ କିଛି ସେକେଣ୍ଡ ବାକିଥିବାବେଳେ ସମ୍ପୂର୍ଣ୍ଣ ବାଜି ଓଲଟିଯାଇଥିଲା । ଭାରତୀୟ ଖେଳାଳି ଅଭିଷେକ ଚତୁର୍ଥ ଗୋଲ୍ ଦେଇ ଭାରତକୁ ବିଜୟୀ କରାଇଥିଲେ । ଭାରତ ୪-୩ ଗୋଲ୍ ରେ ପାକିସ୍ତାନକୁ ପରାଜୟ କରି ଫାଇନାଲରେ ସ୍ଥାନ ଅକ୍ତିଆର କରିଛି ।
ଆସନ୍ତା ୩ ତାରିଖ, ଶନିବାର ଫାଇନାଲ ମୁକାବିଲା ଖେଳାଯିବ । ଦ୍ୱିତୀୟ ସେମି ଫାଇନାଲ ଦକ୍ଷିଣ କୋରିଆ ଏବଂ ମ୍ୟାଲେସିଆ ମଧ୍ୟରେ ଖେଳାଯିବ । ଏହା ପରେ ଫାଇନାଲ୍ ମୁକାବିଲାର ଚିତ୍ର ସ୍ପଷ୍ଟ ହେବ ।