ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାରେ ମଙ୍ଗଳବାର ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହୋଇଛି । ପୁଣି ଥରେ ଚମକିଛନ୍ତି ଝିଅ । ଆଜି ଗୋଟିଏ ଦିନରେ ଭାରତ ଖାତାକୁ ଦୁଇ ଦୁଇଟି ସ୍ୱର୍ଣ୍ଣ ପଦକ ଆସିଛି । ୨୦୨୬ ଏସୀୟ କ୍ରୀଡ଼ାର ପ୍ରଥମ ଥର ପାଇଁ ଆଥଲେଟିକରେ ସ୍ୱର୍ଣ୍ଣ ମିଳିଛି । ଭାରତୀୟ ମହିଳା ରିଲେ ଦଳ ୪ଙ୍ଘ୪୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିଛି । ଏହାକୁ ମିଶାଇ ଭାରତ ଖାତକୁ ମୋଟ ୬ଟି ସ୍ୱର୍ଣ୍ଣ ଆସିଛି ।
ଭାରତୀୟ ମହିଳା ରିଲେ ଦଳ ୩ ମିନିଟ୍ ୨୯.୬୯ ସେକେଣ୍ଡରେ ୧୬୦୦ ମିଟର୍ ଅତିକ୍ରମ କରି ସ୍ୱର୍ଣ୍ଣ ପଦକ ହାସଲ କରିଛି । ବାହାରିନ୍ ରୌପ୍ୟ ପଦକ ଜିତିଥିବା ବେଳେ ଚୀନ୍ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ରହିଛି । ଭାରତୀୟ ଦଳରେ କିରଣ ପାହଲ୍, ଏମ୍.ଆର୍. ପୁଭାମ୍ମା, ପ୍ରାଚୀ ଏବଂ ଭିଥ୍ୟା ରାମରାଜଙ୍କୁ ନେଇ ଗଠିତ ଦଳ ଏହି ସଫଳତା ହାସଲ କରିଛି । ଗତକାଲି ଭିଥ୍ୟା ରାମରାଜ ମଧ୍ୟ ଏକକରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।
ଗୁଲବୀର ସିଂହ ଏସୀୟ କ୍ରୀଡ଼ାରେ ନିଜର ତୃତୀୟ ପଦକ ହାସଲ କରିଛନ୍ତି। ସେ ଆଜି ପୁରୁଷ ୫୦୦୦ ମିଟର ଦୌଡ଼ରେ ୧୩ ମିନିଟ୍ ୩୨.୭୫ ସେକେଣ୍ଡର ସମୟ ନେଇ ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହା ପୂର୍ବରୁ ସେ ୧୫୦୦ ମିଟର ଏବଂ ୧୦,୦୦୦ ମିଟର ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲେ ।
ସେହିପରି ଆଥଲେଟିକ୍ସରେ ଭାରତ ଆଉ ଏକ ପଦକ ହାସଲ କରିଛି। ଭାରତୀୟ ମିଶ୍ରିତ ରିଲେ ଦଳ ୪x୧୦୦ ମିଟର ଦୌଡ଼ରେ ୪୧.୦୬ ସେକେଣ୍ଡ ସମୟ ନେଇ ବ୍ରୋଞ୍ଜ ପଦକ ଜିତିଛି । ଚୀନ୍ ୪୦.୭୮ ସେକେଣ୍ଡ ସମୟ ସହିତ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ, ଥାଇଲ୍ୟାଣ୍ଡ ୪୦.୮୭ ସେକେଣ୍ଡ ସମୟ ନେଇ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ହାସଲ କରିଛି।
ପୂଜା, ମହିଳା ହାଇ ଜମ୍ପ ଫାଇନାଲରେ ୧.୮୪ ମିଟରର ସର୍ବୋତ୍ତମ ପ୍ରଦର୍ଶନ ସହ ବ୍ରୋଞ୍ଜ ପଦକ ଜିତିଛନ୍ତି। ୧.୮୭ ମିଟର ଉଚ୍ଚତା ଅତିକ୍ରମ କରିବାରେ ତିନିଥର ବିଫଳ ହେବା ପରେ ତାଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ସେ ନିଜର ଚଳିତ ସିଜିନ୍ ଏବଂ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୧.୯୩ ମିଟର ଠାରୁ ପଛରେ ରହିଯାଇଥିଲେ। ୨୦୦୨ ମସିହାରେ ବବି ଆଲୋୟସିୟସ୍ ରୌପ୍ୟ ପଦକ ଜିତିବା ପରେ ମହିଳା ହାଇ ଜମ୍ପରେ ଭାରତ ପାଇଁ ଏହା ପ୍ରଥମ ପଦକ ଅଟେ ।
ଆଜି ସୁଟର ନୀରୁ ଢାଣ୍ଡା ମହିଳା ଟ୍ରାପ ଏକକ ବର୍ଗରେ ପ୍ରଥମ ସ୍ଵର୍ଣ୍ଣ ପଦକ ଜିତି ଇତିହାସରେ ନିଜ ନାଁ ଲେଖିଛନ୍ତି । ଏସୀୟ କ୍ରୀଡ଼ାରେ ଭାରତର ୫ମ ସ୍ଵର୍ଣ୍ଣ ପଦକ ।
ଉଲ୍ଲେଖ ଯୋଗ୍ୟ, ମହିଳା କ୍ରିକେଟ୍ ଟିମ, ମହିଳା ଓ ପୁରୁଷ କବାଡ଼ି ଟିମ୍, ସୁଟିଂରେ କମଲଜିତ ଓ ସୁରୁଚି ସିଂ ଏବଂ ନୀରୁ ଢାଣ୍ଡା ସ୍ଵର୍ଣ୍ଣ ପଦକ ଜିତିଛନ୍ତି ।