ନୂଆଦିଲ୍ଲୀ: ଆଗାମୀ ବର୍ଷ (୨୦୨୭) ଅନୁଷ୍ଠିତ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପ୍ର କାର୍ଯ୍ୟସୂଚୀକୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଏବଂ ଆୟୋଜକ ବୋର୍ଡ ପକ୍ଷରୁ ଆସନ୍ତା ଅକ୍ଟୋବର ୧ ତାରିଖ ଦିନ ବିଶ୍ୱକପ୍ର ପୂରା ସୂଚୀ ଘୋଷଣା କରାଯିବ।
ଏହିଥର ଏହି ମେଗା ଟୁର୍ଣ୍ଣାମେଣ୍ଟ ଆଫ୍ରିକାର ତିନୋଟି ଦେଶ ଯଥା- ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମିବିଆର ମିଳିତ ଆତିଥ୍ୟରେ ଖେଳାଯିବ। ଏହି ବିଶ୍ୱକପ୍ରେ ମୋଟ ୧୪ଟି ଟିମ୍ ଅଂଶଗ୍ରହଣ କରିବେ, ଯାହାଫଳରେ ଟୁର୍ଣ୍ଣାମେଣ୍ଟର ଫର୍ମାଟ୍ରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ସୂଚୀ ପ୍ରକାଶ ପାଇବା ସହିତ ପ୍ରଶଂସକଙ୍କ ପାଇଁ ଟିକେଟ୍ ବୁକିଂ ନିମନ୍ତେ ରେଜିଷ୍ଟ୍ରେସନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯିବ।
ଅକ୍ଟୋବର ୨ରୁ ମହାକୁମ୍ଭ ଆରମ୍ଭ ସମ୍ଭାବନା
କ୍ରିକବଜ୍ର ଏକ ରିପୋର୍ଟ ମୁତାବକ, ୨୦୨୭ ଦିନିକିଆ ବିଶ୍ୱକପ୍ ଆସନ୍ତା ବର୍ଷ ଅକ୍ଟୋବର ୨ ତାରିଖରୁ ଆରମ୍ଭ ହେବାର ସମ୍ଭାବନା ରହିଛି। ଆଫ୍ରିକାରେ ହେବାକୁ ଥିବା ଏହି ବିଶ୍ୱକପ୍ର ଆରମ୍ଭକୁ ଭାରତର ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ସହ ଯୋଡ଼ାଯାଉଛି। ତେଣୁ ସେହି ଦିନ ହିଁ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିବାକୁ ଯୋଜନା କରାଯାଉଛି। ଅକ୍ଟୋବର ମାସରୁ ଆରମ୍ଭ ହେବାକୁ ଥିବା ଏହି ମହାସଂଗ୍ରାମ ନଭେମ୍ବର ମାସ ପର୍ଯ୍ୟନ୍ତ ଚାଲିବ ଏବଂ ଫାଇନାଲ୍ ମୁକାବିଲା ନଭେମ୍ବର ୨୧ ତାରିଖରେ ଖେଳାଯିବ ବୋଲି ଆଶା କରାଯାଉଛି।
ଏହି ଦେଶଗୁଡ଼ିକର ସ୍ଥାନ ପ୍ରାୟ ନିଶ୍ଚିତ
ବିଶ୍ୱକପ୍ରେ ଭାଗ ନେବାକୁ ଥିବା ୧୪ଟି ଟିମ୍ ମଧ୍ୟରୁ ୧୦ଟି ଟିମ୍ ଚଳିତ ବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା ଚୂଡ଼ାନ୍ତ ହୋଇଯିବେ। ଏଥିରେ ଆୟୋଜକ ଦେଶ ଭାବେ ଦକ୍ଷିଣ ଆଫ୍ରିକା ଏବଂ ଜିମ୍ବାୱେ ଯୋଗ୍ୟତା ଅର୍ଜନ କରିସାରିଛନ୍ତି। ବର୍ତ୍ତମାନର ଏକଦିବସୀୟ ରାଙ୍କିଙ୍ଗ୍ ଆଧାରରେ ଭାରତ, ନ୍ୟୁଜିଲ୍ୟାଣ୍ଡ, ପାକିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଶ୍ରୀଲଙ୍କା, ଆଫଗାନିସ୍ତାନ ଏବଂ ବାଂଲାଦେଶ ଶ୍ରେଷ୍ଠ ତାଲିକାରେ ରହିଛନ୍ତି। ଅନ୍ୟପକ୍ଷରେ, ଅବଶିଷ୍ଟ ୪ଟି ସ୍ଥାନ ପାଇଁ କ୍ୱାଲିଫାୟାର ମ୍ୟାଚ୍ ଖେଳାଯିବ।