ପାଟନା: ବିହାରରେ ଭ୍ରଷ୍ଟାଚାର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରାଜଧାନୀ ପାଟନା ଏବଂ ବେଗୁସରାଇରେ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ (ADM) ଏବଂ ତାଙ୍କ ସବ୍-ରଜିଷ୍ଟ୍ରାର ପତ୍ନୀଙ୍କ ବାସଭବନରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିଛି। ଏହି ଚଢ଼ଉ ସମୟରେ ଘରୁ ନଗଦ ଟଙ୍କା ଗଡ଼ିବା ସହ ବିପୁଳ ପରିମାଣର ସମ୍ପତ୍ତି ଏବଂ ମହଙ୍ଗା ଘଡ଼ି ଜବତ କରାଯାଇଛି, ଯାହାକୁ ଦେଖି ଅଧିକାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ରବୀନ୍ଦ୍ର କୁମାର ଦିବାକର ପାଟନା ଜିଲ୍ଲାରେ ଏଡିଏମ (ଯୋଗାଣ) ଭାବେ କାର୍ଯ୍ୟରତ ଅଛନ୍ତି ଏବଂ ତାଙ୍କ ପତ୍ନୀ କୁମାରୀ ସ୍ୱୀତି ଦାନପୁରର ଜିଲ୍ଲା ସବ୍-ରଜିଷ୍ଟ୍ରାର ଭାବେ ନିଯୁକ୍ତ ଅଛନ୍ତି। ଉଭୟଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାମଲା ରୁଜୁ ହୋଇଥିଲା। କୋର୍ଟଙ୍କ ୱାର୍ଣ୍ଣର ଆଧାରରେ ଭିଜିଲାନ୍ସ ଟିମ୍ ପାଟନା ଓ ବେଗୁସରାଇ ସ୍ଥିତ ସେମାନଙ୍କ ବିଭିନ୍ନ ଠିକଣାରେ ଏକସଙ୍ଗେ ଚଢ଼ଉ ଜାରି ରଖିଛି।
ନୋଟର ଗଡ଼ିଲା ଗଡ଼ା, ଘଣ୍ଟା କାଳ ଚାଲିଲା ଗଣତି
ତଦନ୍ତକାରୀ ଟିମ୍ର ସୂଚନା ମୁତାବକ, ରେଡ୍ ସମୟରେ ଅଧିକାରୀ ଦମ୍ପତିଙ୍କ ଘରୁ ପାଖାପାଖି ୩୯ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି। କେବଳ ସେତିକି ନୁହେଁ, ପାଟନାସ୍ଥିତ ଦାନପୁର ବାସଭବନରୁ ପ୍ରାୟ ୩୦ ଲକ୍ଷ ଏବଂ ବେଗୁସରାଇରୁ ପ୍ରାୟ ୯ ଲକ୍ଷ ଟଙ୍କା ନଗଦ ମିଳିଛି। ୫୦୦-୫୦୦ ଟଙ୍କିଆ ନୋଟର ଏତେଗୁଡ଼ିଏ ବଣ୍ଡଲ୍ ମିଳିଥିଲା ଯେ ଅଧିକାରୀମାନଙ୍କୁ ମଧ୍ୟ ଗଣନା କରିବା ପାଇଁ ବହୁ ସମୟ ଲାଗିଥିଲା।