ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଜାତୀୟ ଶିକ୍ଷା ନୀତି ଅନୁଯାୟୀ ତ୍ରି-ଭାଷା ନୀତିରୁ ସପ୍ତମ ଶ୍ରେଣୀ ପରେ ଷଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ମୁକ୍ତି ମିଳିଛି । ଚଳିତ ବର୍ଷ ପାଇଁ ଷଷ୍ଠ ଶ୍ରେଣୀ ପିଲାଙ୍କ ସିବିଏସଇର ଏହି ତ୍ରି-ଭାଷା ନୀତି ଲାଗୁ ହେବ ନାହିଁ । କେନ୍ଦ୍ର ସରକାରଙ୍କ ସଲିସିଟର ଜେନେରାଲ ତୁଷାର ମେହେତା ସୁପ୍ରିମକୋର୍ଟକୁ ସୋମବାର ଅବଗତ କରାଇଛନ୍ତି ।
ଆଜି ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ବିଚାରପତି ବି ମୋହନାଙ୍କ ଖଣ୍ଡପୀଠ ଶୁଣାଣି କରିଛନ୍ତି । ଗତ ଶୁଣାଣିରେ ସୁପ୍ରିମକୋର୍ଟ ନିଷ୍ପତି ଉପରେ ପୁନର୍ବିଚାର ପୁନର୍ବିଚାର କରିବାକୁ କେନ୍ଦ୍ର, ଏନ୍ସିଇଆର୍ଟି ଓ ସିବିଏସ୍ଇକୁ ପରାମର୍ଶ ଦେଇଥିଲେ । ସପ୍ତମ, ଅଷ୍ଟମ ଏବଂ ନବମ ଶ୍ରେଣୀ ଭଳି ଷଷ୍ଠ ଶ୍ରେଣୀ ପାଇଁ ମଧ୍ୟ ଚଳିତ ଶିକ୍ଷା ବର୍ଷରେ ଏହି ନିୟମ ଲାଗୁ ନ କରିବାକୁ କୁହାଯାଇଥିଲା । ଯାହାକୁ ସିବିଏସଇ ପୁନର୍ବିଚାର କରି ଆସନ୍ତା ବର୍ଷ ତ୍ରି-ଭାଷା ନିୟମ ଲାଗୁ କରିବାକୁ ନିଷ୍ପତି ନେଇଛି । ସଲିସିଟର ଜେନେରାଲ କୋର୍ଟଙ୍କୁ ଅବଗତ କରାଇଛନ୍ତି ଯେ ପ୍ରାୟ ୯୯ ପ୍ରତିଶତ ବିଦ୍ୟାଳୟ ତୃତୀୟ ଭାଷା ନୀତିକୁ ଗ୍ରହଣ କରିଛନ୍ତି ଏବଂ ସେମାନଙ୍କୁ ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯାଇଛି । ମାତ୍ର ୧.୨ ପ୍ରତିଶତ ବିଦ୍ୟାଳୟ ଏହା କରିନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଭଳି ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମଧ୍ୟ ସେହିପରି ସୁବିଧା ପ୍ରଦାନ କରିବାକୁ କହିଥିଲେ ।
ସିବିଏସଇର ନୀତି ଅନୁସାରେ ଛାତ୍ରଛାତ୍ରୀମାନେ ଷଷ୍ଠ ଶ୍ରେଣୀଠାରୁ ତିନୋଟି ଭାଷା ଅଧ୍ୟୟନ କରିବା ବାଧ୍ୟତାମୂଳକ । ଯେଉଁଥିରେ ଦୁଇଟି ଭାରତୀୟ ଭାଷା ଏବଂ ଗୋଟିଏ ବିଦେଶୀ ଭାଷା ଅନ୍ତର୍ଭୁକ୍ତ । ସିବିଏସଇ ମୋଟ ୨୩ଟି ଭାଷାକୁ ସ୍ୱୀକୃତି ଦେଇଛି ।