ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ସରକାରୀ ସ୍କୁଲଗୁଡ଼ିକର ସୁଧାର ପାଇଁ ଅଭିଯାନ ଚଲାଉଥିବା 'କକରୋଚ୍ ଜନତା ପାର୍ଟି' (CJP) ପ୍ରଥମ ଥର ପାଇଁ କୌଣସି ବିଜେପି ଶାସିତ ରାଜ୍ୟର ବିଦ୍ୟାଳୟକୁ ପ୍ରଶଂସା କରିଛି। ଆସାମର ଏକ ଆଧୁନିକ ଓ ଭବ୍ୟ ସରକାରୀ ସ୍କୁଲର ଭିଡିଓ ଦେଖିବା ପରେ ସିଜେପି ନେତା ଆଶୁତୋଷ ରାଙ୍କା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଧନ୍ୟବାଦ ଜଣାଇବା ସହ ଏପରି ଆଉ କିଛି ସ୍କୁଲ ନିର୍ମାଣ କରିବାକୁ ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ରାଜ୍ୟର ଏକ ବିଦ୍ୟାଳୟର ସୁନ୍ଦର ଭିଡିଓ ସେୟାର କରିଥିଲେ। ଏଥିରେ କମ୍ପ୍ୟୁଟର ଲାବ୍ ସହ ସମସ୍ତ ଆଧୁନିକ ସୁବିଧା ଦେଖିବାକୁ ମିଳିଥିଲା। ଏହି ଭିଡିଓକୁ ସେୟାର କରି ଆଶୁତୋଷ ରାଙ୍କା ଲେଖିଛନ୍ତି, "ଏହା ଏକ ବହୁତ ଭଲ ସ୍କୁଲ ମାମା (ହିମନ୍ତ ବିଶ୍ୱ ଶର୍ମା)। ଏହିପରି ଆଉ କିଛି ବିଦ୍ୟାଳୟ ନିର୍ମାଣ କରନ୍ତୁ।"
ପ୍ରଶଂସା କରିବା ସହ ରାଙ୍କା ଆସାମର ଦିସପୁର ଓ ରାମପୁର ଅଞ୍ଚଳରେ ଥିବା ସ୍କୁଲଗୁଡ଼ିକର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଥିବା କହିଛନ୍ତି। ସେ କହିଛନ୍ତି ଯେ, ସେ ଯେଉଁ ଦୁଇଟି ସ୍କୁଲ ପରିଦର୍ଶନ କରିଥିଲେ ସେଗୁଡ଼ିକର ସ୍ଥିତି ଖରାପ ରହିଛି, ତେଣୁ ସେଗୁଡ଼ିକୁ ମଧ୍ୟ ଶୀଘ୍ର ସୁଧାରିବା ଦରକାର। ଆସାମର ପ୍ରତ୍ୟେକ ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ମିଳିବା ଉଚିତ୍ ବୋଲି ସେ ପ୍ରକାଶ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଗତ ରବିବାର ଦିନ ଆସାମ ପୋଲିସ ଆଶୁତୋଷ ରାଙ୍କା ଓ CJPର ୪୦ରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତାଙ୍କୁ ଅଟକ ରଖିଥିଲା। ମୁକ୍ତ ହେବା ପରେ ରାଙ୍କା ଅଭିଯୋଗ କରିଥିଲେ ଯେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଭୟ କରୁଛନ୍ତି। ତେବେ ଏହାର ଜବାବରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ମଧ୍ୟ ନିଜର ଏକ ହସୁଥିବା ଫଟୋ ସେୟାର କରି କଟାକ୍ଷ କରିଥିଲେ। ଏହି ବିବାଦ ଭିତରେ ସିଜେପି ନେତା ଆସାମ ସରକାରଙ୍କ ସ୍କୁଲକୁ ପ୍ରଶଂସା କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
Also Read:ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତା ମାମଲାରେ କେଜ୍ରିୱାଲଙ୍କ ଆବେଦନ ଖାରଜ