ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଝାନ୍ସୀ ଜିଲ୍ଲାରେ ପିତୃପକ୍ଷ ଶ୍ରାଦ୍ଧ ଚାଲିଥିବାବେଳେ ଏକ ବଡ଼ ଅଘଟଣା ଘଟିଯାଇଛି । ମଊରାନୀପୁର ଥାନା ଅନ୍ତର୍ଗତ ରାନୀପୁର ଦେବରୀପୁରୀ ଗ୍ରାମରେ ସୁଖନଈ ନଦୀରେ ବଡ଼ି ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ବାପା, ପୁଅ, ପୁତୁରା, ଭଣଜା ଏବଂ ଅନ୍ୟ ଜଣେ ବ୍ୟକ୍ତି ସାମିଲ ଅଛନ୍ତି ।
ପୋଲିସର ସୂଚନା ଆଧାରରେ, ସୁଖଈନଦୀରେ ଗୋଟିଏ ପରିବାର ପିତୃପକ୍ଷ ଶ୍ରାଦ୍ଧ କରୁଥିଲେ । ଏହି ସମୟରେ ଜଣେ ବ୍ୟକ୍ତି ଅସାବଧାନତା ବଶତଃ ପାଣିରେ ବୁଡ଼ି ଯାଇଥିଲେ । ଏହା ପରେ ତାଙ୍କ ବଞ୍ଚାଇବାକୁ ଜଣକ ପରେ ଜଣେ ପାଣିକୁ ଡେଇଁଥିଲେ । କିନ୍ତୁ ଗଭୀର ପାଣି ଭିତରେ ସମସ୍ତେ ବୁଡ଼ି ଯାଇଥିଲେ । ସ୍ଥାନୀୟ ପୋଲିସ ଏବଂ ଲାଇଫ୍ ଗାର୍ଡ ତୁରନ୍ତ ଘଟଣା ସ୍ଥଳରେ ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲେ । ଶେଷରେ ସମସ୍ତଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ସମସ୍ତ ପାଞ୍ଚ ଜଣଙ୍କୁ ମୃତ ଘୋଷଣା କରିଛନ୍ତି ।
ଏହି ଘଟଣା ପରେ ସାରା ଗ୍ରାମରେ ଶୋକର ଛାୟା ଖେଳି ଯାଇଛି । ପୋଲିସ ମୃତ ଦେହକୁ ଜବତ କରି ଯାଞ୍ଚ ଆରମ୍ଭ କରିଛି ।