ଭୁବନେଶ୍ୱର: ଓଡ଼ିଶାର ସ୍କୁଲ୍ ପାଠ୍ୟପୁସ୍ତକରେ ତ୍ରୁଟି ଘଟଣାକୁ ନେଇ ଏବେ ମାମଲା ଆହୁରି ଗମ୍ଭୀର ହୋଇଛି। କ୍ଲାସ୍ ୧ରୁ ୮ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ଚିହ୍ନଟ ହୋଇଥିବା ତ୍ରୁଟିକୁ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ଓଡ଼ିଶାର ସ୍କୁଲ୍ ଓ ଗଣଶିକ୍ଷା ବିଭାଗ (S&ME)କୁ ବିସ୍ତୃତ ରିପୋର୍ଟ ଦେବାକୁ କହିଛି।
ସମ୍ପ୍ରତି ବିଧାନସଭାରେ ସରକାରୀ ତଥ୍ୟ ଅନୁଯାୟୀ, କ୍ଲାସ୍ ୧ରୁ ୮ ପାଠ୍ୟପୁସ୍ତକରେ ମୋଟ ୧,୭୪୧ଟି ତ୍ରୁଟି ଚିହ୍ନଟ ହୋଇଛି। ଏଥିରେ ବ୍ୟାକରଣ, ଟାଇପ୍ ଓ ବନାନ ତ୍ରୁଟି ସହିତ ତଥ୍ୟାତ୍ମକ ଓ ଧାରଣାଗତ ତ୍ରୁଟି ମଧ୍ୟ ରହିଛି। ଏହି ପୁସ୍ତକ ଛାପା ଓ ପ୍ରକାଶନରେ ପ୍ରାୟ ୧୭୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ସରକାର ବିଧାନସଭାରେ କହିଛନ୍ତି।
PMOର ନିର୍ଦ୍ଦେଶ ଅନୁଯାୟୀ, ଏହି ତ୍ରୁଟି କିପରି ଘଟିଲା, ପାଠ୍ୟପୁସ୍ତକ ପ୍ରସ୍ତୁତିର କେଉଁ ପର୍ଯ୍ୟାୟରେ ତ୍ରୁଟି ରହିଗଲା ଏବଂ ଏଥିପାଇଁ କିଏ କିଏ ଦାୟିତ୍ୱରେ ଥିଲେ, ସେ ସମ୍ପର୍କରେ ବିସ୍ତୃତ ତଥ୍ୟ ମଗାଯାଇଛି। ଏହାସହ ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ଛାପାରେ କେତେ ଅର୍ଥ ଖର୍ଚ୍ଚ ହୋଇଛି, ସେ ସମ୍ପର୍କରେ ମଧ୍ୟ ତଥ୍ୟ ଦେବାକୁ କୁହାଯାଇଛି।
ଏହି ଘଟଣାରେ RTI କର୍ମୀ ପ୍ରଦୀପ ପ୍ରଧାନ ପୂର୍ବରୁ PMOର ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ଅଭିଯୋଗରେ ପାଠ୍ୟପୁସ୍ତକ ଛାପା ପ୍ରକ୍ରିୟାରେ ଆର୍ଥିକ ଅନିୟମିତତା, ସ୍ୱାର୍ଥ ସଂଘାତ ଓ ଅଭିଯୋଗକୁ ଚାପି ଦେବା ଭଳି ଅଭିଯୋଗ ଉଠାଯାଇଥିଲା। ଏହି ଅଭିଯୋଗର ଆଧାରରେ PMO ପକ୍ଷରୁ S&ME ବିଭାଗକୁ ରିପୋର୍ଟ ଦେବାକୁ କୁହାଯାଇଥିବା ଜଣାପଡ଼ିଛି।
ପାଠ୍ୟପୁସ୍ତକ ବିବାଦକୁ ନେଇ ରାଜ୍ୟ ସରକାରଙ୍କ ତିନିଜଣିଆ ତଦନ୍ତ କମିଟି ମଧ୍ୟ ପ୍ରସ୍ତୁତି ଓ ସମୀକ୍ଷା ପ୍ରକ୍ରିୟାରେ ଅନେକ ତ୍ରୁଟି ଦର୍ଶାଇଥିଲା। ରିପୋର୍ଟରେ ଲେଖକ ଓ ବିଶେଷଜ୍ଞଙ୍କ ପାଇଁ ଆବଶ୍ୟକ ଓରିଏଣ୍ଟେସନ୍ ନଥିବା, ଫାଇନାଲ୍ ମାନୁସ୍କ୍ରିପ୍ଟ ସମୀକ୍ଷା ପାଇଁ ଅତ୍ୟଳ୍ପ ସମୟ ମିଳିବା ଏବଂ କେତେକ କ୍ଷେତ୍ରରେ ସମାନ ବ୍ୟକ୍ତିଙ୍କୁ ଲେଖକ, ସମୀକ୍ଷକ ଓ ପ୍ରୁଫ୍ରିଡର ଭଳି ଏକାଧିକ ଦାୟିତ୍ୱ ଦିଆଯାଇଥିବା ଉଲ୍ଲେଖ ରହିଛି।
ଏପଟେ ତ୍ରୁଟି ସୁଧାରିବା ପରେ ସଂଶୋଧିତ ପାଠ୍ୟପୁସ୍ତକ ବିଭିନ୍ନ ସ୍କୁଲ୍କୁ ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏବେ PMO ପକ୍ଷରୁ ରିପୋର୍ଟ ତଲବ ପରେ ପାଠ୍ୟପୁସ୍ତକ ପ୍ରସ୍ତୁତିଠାରୁ ଛାପା, ଖର୍ଚ୍ଚ ଓ ଦାୟିତ୍ୱ ନିର୍ଦ୍ଧାରଣ, ସବୁ ଦିଗରେ କି ତଥ୍ୟ ସାମ୍ନାକୁ ଆସୁଛି, ତା’ ଉପରେ ନଜର ରହିଛି।