ଭୁବନେଶ୍ୱର: ଗଭୀର ଅବପାତ ପ୍ରଭାବରେ ଓଡ଼ିଶାର କେତେକ ଅଞ୍ଚଳରେ ହୋଇଥିବା ବର୍ଷା ଓ ସ୍ଥାନୀୟ ବନ୍ୟା ପରିସ୍ଥିତି ଏବେ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସମଗ୍ର ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର (SEOC) ପକ୍ଷରୁ ସେପ୍ଟେମ୍ବର ୨୮ରେ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ରାଜ୍ୟରେ ବର୍ଷାର ପରିମାଣରେ ଉଲ୍ଲେଖନୀୟ ହ୍ରାସ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ରେ ୧.୩ ମିମି ବର୍ଷା ହୋଇଥିବା ବେଳେ ଅନ୍ୟ ସମସ୍ତ ଜିଲ୍ଲାରେ ବର୍ଷା ପରିମାଣ ଶୂନ ରହିଛି ଏବଂ ସମଗ୍ର ରାଜ୍ୟରେ ହାରାହାରି ମାତ୍ର ୦.୧ ମିମି ବର୍ଷା ରେକର୍ଡ କରାଯାଇଛି।
ଗଭୀର ଅବପାତ ଯୋଗୁଁ ଦକ୍ଷିଣ ଓ ଉତ୍ତର ଓଡ଼ିଶାର କେତେକ ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। କୋରାପୁଟର ୨ଟି ବ୍ଲକ୍ର ୪୧ଟି ଗ୍ରାମର ୬,୩୯୫ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୨,୬୮୪ ଜଣଙ୍କୁ ସ୍ଥାନାନ୍ତର କରାଯାଇ ୩୬ଟି ରିଲିଫ୍ କ୍ୟାମ୍ପରେ ଆଶ୍ରୟ ଦିଆଯାଇଛି। ସେହିପରି ନବରଙ୍ଗପୁରର ୩ଟି ବ୍ଲକ୍ର ୩୧ଟି ଗ୍ରାମର ୧୬,୮୯୧ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୨,୩୯୩ ଜଣଙ୍କୁ ସ୍ଥାନାନ୍ତର କରାଯାଇ ୧୮ଟି ରିଲିଫ୍ କ୍ୟାମ୍ପ ଖୋଲାଯାଇଛି।
ଅପରପକ୍ଷରେ ବୁଢ଼ାବଳଙ୍ଗ, ବୈତରଣୀ, ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ବାଲେଶ୍ୱର, ଯାଜପୁର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାରେ ସ୍ଥାନୀୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବାଲେଶ୍ୱରରେ ୫୪୧ଟି ଗ୍ରାମର ୫୦,୪୫୬ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୪୯,୫୯୦ ଜଣଙ୍କୁ ସ୍ଥାନାନ୍ତର କରାଯାଇ ୭୭ଟି ରିଲିଫ୍ କ୍ୟାମ୍ପରେ ରଖାଯାଇଛି। ସେହିପରି ଯାଜପୁରରେ ୫,୦୫୯ ଜଣ ପ୍ରଭାବିତ ହୋଇ ୩,୮୭୬ ଜଣ ସ୍ଥାନାନ୍ତର (୧୯ଟି କ୍ୟାମ୍ପ), ଭଦ୍ରକରେ ୧୧,୨୫୧ ଜଣ ପ୍ରଭାବିତ ହୋଇ ୮,୨୭୮ ଜଣ ସ୍ଥାନାନ୍ତର (୬୬ଟି କ୍ୟାମ୍ପ) ଏବଂ ମୟୂରଭଞ୍ଜରେ ୨,୪୨୫ ଜଣ ପ୍ରଭାବିତ ହୋଇ ୨,୩୫୪ ଜଣଙ୍କୁ ସ୍ଥାନାନ୍ତର (୨୨ଟି କ୍ୟାମ୍ପ) କରାଯାଇଛି।
ବନ୍ୟା ପ୍ରଭାବିତ ଅଞ୍ଚଳରେ ଗୃହପାଳିତ ପଶୁଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ଯୋଗାଇ ଦିଆଯାଇଛି। ମୋଟ ୫୯୧.୩୨ ମେଟ୍ରିକ୍ ଟନ୍ ଗୋଖାଦ୍ୟ ବଣ୍ଟନ କରାଯାଇଛି, ଯେଉଁଥିରେ ବାଲେଶ୍ୱରକୁ ୩୨୬ ମେଟ୍ରିକ୍ ଟନ୍, ଭଦ୍ରକକୁ ୧୭୫.୨ ମେଟ୍ରିକ୍ ଟନ୍, ମୟୂରଭଞ୍ଜକୁ ୪୦ ମେଟ୍ରିକ୍ ଟନ୍, ଯାଜପୁରକୁ ୩୧.୩୨ ମେଟ୍ରିକ୍ ଟନ୍ ଏବଂ କୋରାପୁଟକୁ ୧୮.୮୦ ମେଟ୍ରିକ୍ ଟନ୍ ଗୋଖାଦ୍ୟ ପଠାଯାଇଛି।
ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ମୋଟ ୫୭ଟି ODRAF ଏବଂ ୭ଟି NDRF ଟିମ୍, ଅର୍ଥାତ୍ ସମୁଦାୟ ୬୪ଟି ରେସକ୍ୟୁ ଟିମ୍ ମୁତୟନ କରାଯାଇଛି। ବାଲେଶ୍ୱରରେ ସର୍ବାଧିକ ୯ଟି ODRAF ଓ ୨ଟି NDRF ଟିମ୍, କୋରାପୁଟରେ ୪ଟି ODRAF, ନବରଙ୍ଗପୁରରେ ୫ଟି ODRAF, ଭଦ୍ରକରେ ୩ଟି ODRAF ଏବଂ ଯାଜପୁରରେ ୩ଟି ODRAF ଓ ୧ଟି NDRF ଟିମ୍ କାର୍ଯ୍ୟରତ ଅଛନ୍ତି।
ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର (SEOC) ସମସ୍ତ ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର (DEOC) ସହ ସମନ୍ୱୟ ରଖି ୨୪ ଘଣ୍ଟିଆ ନିରୀକ୍ଷଣ କରୁଛି। ଜଳମଗ୍ନ ରାସ୍ତା ଓ ସହରାଞ୍ଚଳ ଅଣ୍ଡରପାସ୍ଗୁଡ଼ିକୁ ଆବଶ୍ୟକ ସ୍ଥଳେ ତୁରନ୍ତ ବନ୍ଦ କରିବା ସହ କଚ୍ଚା ରାସ୍ତା, ଦୁର୍ବଳ ଗୃହ, ଭୂସ୍ଖଳନ ଏବଂ ଫସଲ କ୍ଷତିପ୍ରତି ସଜାଗ ରହିବାକୁ ଜିଲ୍ଲା ପ୍ରଶାସନଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ବଜ୍ରପାତ ସମୟରେ ସୁରକ୍ଷିତ ଆଶ୍ରୟ ନେବାକୁ ସାଧାରଣ ଜନତାଙ୍କୁ ପରାମର୍ଶ ଦିଆଯାଇଛି।