ଭୁବନେଶ୍ୱର: ତମାଖୁ ଓ ପାନ ମସଲା ବିକ୍ରିରୁ ଓଡ଼ିଶା ସରକାରଙ୍କ ରାଜସ୍ୱ ଆଦାୟରେ ନୂଆ ରେକର୍ଡ। ୨୦୨୪-୨୫ ଆର୍ଥିକ ବର୍ଷରେ ଏହି ଉତ୍ପାଦଗୁଡ଼ିକରୁ ରାଜ୍ୟ ସରକାର ୧,୨୩୪.୮୮ କୋଟି ଟଙ୍କା ରାଜସ୍ୱ ଆଦାୟ କରିଛନ୍ତି। ବିଧାନସଭାରେ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ତଥ୍ୟ ଦେଇଛନ୍ତି।
ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ପାନ ମସଲା, ଗୁଟଖା, ସିଗାରେଟ୍, ବିଡ଼ି ଓ ଅନ୍ୟାନ୍ୟ ତମାଖୁଜାତ ଦ୍ରବ୍ୟର ବିକ୍ରି ଉପରେ ଭାଟ୍ ସମେତ ବିଭିନ୍ନ ଆଇନଗତ ଶୁଳ୍କ ଆଦାୟ କରାଯାଉଛି। ଏହି ଆଦାୟର ଗତ ଏକ ଦଶନ୍ଧିର ତଥ୍ୟ ମଧ୍ୟ ଗୃହରେ ଉପସ୍ଥାପିତ ହୋଇଛି।
ତଥ୍ୟ ଅନୁସାରେ, ୨୦୧୬-୧୭ରେ ତମାଖୁ ଓ ପାନ ମସଲା ଉତ୍ପାଦରୁ ୨୬୪.୫୧ କୋଟି ଟଙ୍କା ଆଦାୟ ହୋଇଥିଲା। ୨୦୧୭-୧୮ରେ ଜୁଲାଇ ପୂର୍ବରୁ ୭୧.୪୯ କୋଟି ଏବଂ ଜୁଲାଇରୁ ମାର୍ଚ୍ଚ ମଧ୍ୟରେ ୩୦୯.୫୩ କୋଟି ଟଙ୍କା ଆଦାୟ ହୋଇଥିଲା।
ପରବର୍ତ୍ତୀ ବର୍ଷଗୁଡ଼ିକରେ ଏହି ରାଜସ୍ୱ କ୍ରମାଗତ ଭାବେ ବଢ଼ିଛି। ୨୦୧୮-୧୯ରେ ୪୮୦.୭୧ କୋଟି, ୨୦୧୯-୨୦ରେ ୬୦୯.୯୦ କୋଟି, ୨୦୨୦-୨୧ରେ ୭୧୧.୨୩ କୋଟି ଏବଂ ୨୦୨୧-୨୨ରେ ୮୭୬.୬୩ କୋଟି ଟଙ୍କା ଆଦାୟ ହୋଇଥିଲା।
ସେହିପରି ୨୦୨୨-୨୩ରେ ୮୮୯.୪୨ କୋଟି ଓ ୨୦୨୩-୨୪ରେ ୧,୦୧୨.୫୬ କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଥିବା ବେଳେ ୨୦୨୪-୨୫ରେ ଏହା ୧,୨୩୪.୮୮ କୋଟି ଟଙ୍କାର ରେକର୍ଡ ସ୍ତରରେ ପହଞ୍ଚିଛି।
ଅନ୍ୟପକ୍ଷରେ, ୨୦୨୫-୨୬ ଆର୍ଥିକ ବର୍ଷରେ ମଧ୍ୟ ଆଦାୟ ଜାରି ରହିଛି। ଏହି ବର୍ଷ ଏପର୍ଯ୍ୟନ୍ତ ରାଜ୍ୟ ସରକାର ଏହି ବର୍ଗର ଉତ୍ପାଦରୁ ୮୮୫.୪୫ କୋଟି ଟଙ୍କା ରାଜସ୍ୱ ପାଇସାରିଛନ୍ତି।
ଗତ ଦଶ ବର୍ଷର ତଥ୍ୟକୁ ଦେଖିଲେ, ତମାଖୁ ଓ ପାନ ମସଲା ଉତ୍ପାଦରୁ ରାଜ୍ୟର ରାଜସ୍ୱ ଆଦାୟରେ ବଡ଼ ବୃଦ୍ଧି ଘଟିଥିବା ସ୍ପଷ୍ଟ ହେଉଛି। ୨୦୨୪-୨୫ରେ ଏହା ସର୍ବକାଳୀନ ସର୍ବାଧିକ ସ୍ତର ଛୁଇଁଛି।