ଭୁବନେଶ୍ୱର: ରାଜ୍ୟରେ ସରକାରୀ ଜମିର ଦୁରୁପଯୋଗ, ବେଆଇନ ଦଖଲ ଓ ବର୍ଷ ବର୍ଷ ଧରି ଅବ୍ୟବହୃତ ପଡ଼ିଥିବା ଜମିକୁ ନେଇ ମୋହନ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏଣିକି ଲିଜ୍, ଅଗ୍ରୀମ ଦଖଲ, ପରମିସିଭ୍ ପଜେସନ୍ ଓ ଆଲିଏନେସନ୍ରେ ଦିଆଯାଇଥିବା ସମସ୍ତ ସରକାରୀ ଜମିର ଜିଲ୍ଲାଭିତ୍ତିକ ସମୀକ୍ଷା କରିବାକୁ ସବୁ କଲେକ୍ଟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି କହିଛନ୍ତି ଯେ ସରକାରୀ ଜମି ଏକ ମୂଲ୍ୟବାନ ଜନସମ୍ପଦ। ଏହାର ସୁରକ୍ଷା ଓ ସଠିକ୍ ବ୍ୟବହାର ସୁନିଶ୍ଚିତ କରିବା ସମସ୍ତଙ୍କ ଦାୟିତ୍ୱ। ପ୍ରଭାବଶାଳୀ ବ୍ୟକ୍ତି, ସଂଗଠନ କିମ୍ବା ସ୍ୱାର୍ଥଗୋଷ୍ଠୀଙ୍କ ଚାପରେ ନ ପଡ଼ି ଆଇନ ଅନୁସାରେ ନିର୍ଭୟ ଓ ନିରପେକ୍ଷ ଭାବେ କାର୍ଯ୍ୟ କରିବାକୁ ସେ ରାଜସ୍ୱ ଅଧିକାରୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।
୩ ବର୍ଷ ଧରି ପଡ଼ିଥିଲେ ଫେରିବ ଜମି
ସରକାରଙ୍କ ନୂଆ ନିର୍ଦ୍ଦେଶ ଅନୁସାରେ, ଯେଉଁ ସରକାରୀ ଜମି ଲିଜ୍ରେ ଦିଆଯାଇଛି କିନ୍ତୁ ୩ ବର୍ଷରୁ ଅଧିକ ସମୟ ଧରି ବ୍ୟବହାର ହୋଇନାହିଁ କିମ୍ବା ଅନୁମୋଦିତ ଉଦ୍ଦେଶ୍ୟ ବଦଳରେ ଅନ୍ୟ କାମରେ ବ୍ୟବହୃତ ହେଉଛି, ସେହି ସବୁ କ୍ଷେତ୍ରରେ ଜମି ପୁନଃ ସରକାରଙ୍କ ଅଧୀନକୁ ଫେରାଇବା ପ୍ରକ୍ରିୟା ଆରମ୍ଭ କରାଯିବ। ଓଡ଼ିଶା ସରକାରୀ ଜମି ସେଟଲମେଣ୍ଟ ଆଇନ, ୧୯୬୨ ଓ OGLS Rules, 1983 ଅନୁଯାୟୀ ଏହି କାର୍ଯ୍ୟ ହେବ।
ଅଗ୍ରୀମ ଓ ପରମିସିଭ୍ ପଜେସନ୍ରେ ମଧ୍ୟ ଯାଞ୍ଚ
ଅଗ୍ରୀମ ଦଖଲ (Advance Possession) ମାମଲାରେ ଫିଲ୍ଡ ଭେରିଫିକେସନ୍ କରାଯିବ। ଜମି ଖାଲି ପଡ଼ିଥିଲେ କିମ୍ବା ଅନୁମୋଦିତ ଉଦ୍ଦେଶ୍ୟରୁ ଭିନ୍ନ କାମରେ ବ୍ୟବହୃତ ହେଲେ Rule 11-A ଅନୁସାରେ ଜମି ସରକାରୀ ଖାତାକୁ ଫେରାଇ ନିଆଯିବ। ସେହିପରି ପରମିସିଭ୍ ପଜେସନ୍ ଜମିର ବର୍ତ୍ତମାନ ସ୍ଥିତି ଯାଞ୍ଚ କରି Rule 9-A(2) ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନିଆଯିବ।
ସରକାରୀ ବିଭାଗଙ୍କୁ ଦିଆଯାଇଥିବା ଜମି ମଧ୍ୟ ସମୀକ୍ଷା
ବିଭିନ୍ନ ସରକାରୀ ବିଭାଗକୁ ପ୍ରକଳ୍ପ ପାଇଁ ହସ୍ତାନ୍ତର ହୋଇଥିବା ଜମିର ମଧ୍ୟ ଫିଲ୍ଡ ଯାଞ୍ଚ ହେବ। କୌଣସି ଜମି ୩ ବର୍ଷ ଧରି ବ୍ୟବହୃତ ହୋଇନଥିଲେ କିମ୍ବା ଆଂଶିକ ବ୍ୟବହାର ହୋଇଥିଲେ, ଅବଶିଷ୍ଟ ଅଂଶ ରଖିବାର ଆବଶ୍ୟକତା ରେକର୍ଡ କରି ରାଜସ୍ୱ ବିଭାଗକୁ ଫେରାଇବା ପ୍ରସ୍ତାବ ପଠାଯିବ।
ଅଧିକାରୀ ଜଡ଼ିତ ଥିଲେ କ୍ରିମିନାଲ୍ ଆକ୍ସନ୍
ଡ. ପାଢ଼ୀ ଚିଠିରେ ସ୍ପଷ୍ଟ କରିଛନ୍ତି ଯେ, ଯଦି କୌଣସି ସରକାରୀ ଅଧିକାରୀ କିମ୍ବା କର୍ମଚାରୀ ବେଆଇନ ଦଖଲକାରୀ, ଦୁର୍ନୀତିଗ୍ରସ୍ତ ବ୍ୟକ୍ତି କିମ୍ବା ସ୍ୱାର୍ଥଗୋଷ୍ଠୀ ସହ ମିଶିଥିବା ପ୍ରମାଣିତ ହୁଏ, ତେବେ ତାଙ୍କ ବିରୋଧରେ କଡ଼ା ବିଭାଗୀୟ ଓ ଆପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ପ୍ରତି ମାସ ୫ ତାରିଖରେ ରିପୋର୍ଟ
ସମଗ୍ର ଅଭିଯାନକୁ ପ୍ରାଥମିକତା ଭିତ୍ତିରେ ସମ୍ପନ୍ନ କରିବାକୁ କଲେକ୍ଟରମାନଙ୍କୁ ବ୍ୟକ୍ତିଗତ ଭାବେ ଦାୟିତ୍ୱ ଦିଆଯାଇଛି। ପ୍ରତ୍ୟେକ ଜିଲ୍ଲାରେ ସମୀକ୍ଷା, ପୁନରୁଦ୍ଧାର, ରିଜ୍ୟୁମ୍ପସନ୍ ଓ ରିଲିଙ୍କୁଇସମେଣ୍ଟର ସମସ୍ତ ତଥ୍ୟ ସଂରକ୍ଷଣ କରାଯିବ। ଏଥିସହ ପ୍ରତି ମାସର ୫ ତାରିଖ ସୁଦ୍ଧା ଅନଲାଇନ୍ ପ୍ରଗତି ରିପୋର୍ଟ ବିଭାଗକୁ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି। ସରକାରଙ୍କ ଏହି ପଦକ୍ଷେପ ପରେ ବର୍ଷ ବର୍ଷ ଧରି ଅବ୍ୟବହୃତ ପଡ଼ିଥିବା ହଜାର ହଜାର ଏକର ସରକାରୀ ଜମି ପୁଣିଥରେ ଜନସ୍ୱାର୍ଥରେ ବ୍ୟବହାର ହେବାର ବାଟ ଖୋଲିପାରେ।