ଭଦ୍ରକ: ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଭଦ୍ରକ ଜିଲ୍ଲାରେ ବନ୍ୟା କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି । ଜିଲ୍ଲାରେ ୭ ଟି ବ୍ଲକର ୨ ଲକ୍ଷ ୧୨ ହଜାର ଲୋକ ପ୍ରଭାବିତ ହୋଇଥିବା ଉଚ୍ଚ ଶିକ୍ଷା ମନ୍ତ୍ରୀ ସମୀକ୍ଷା ପରେ ସୂଚନା ଦେଇଛନ୍ତି ।
ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଭଦ୍ରଜ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ସହ ବନ୍ୟା ସମ୍ପର୍କିତ ସମୀକ୍ଷା କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଜିଲ୍ଲାର ୭ଟି ବ୍ଲକ୍ ଭଣ୍ଡାରୀପୋଖରୀ, ଧାମନଗର, ତିହିଡ଼ି, ବାସୁଦେବପୁର, ଭଦ୍ରକ, ବନ୍ତ, ଚାନ୍ଦବାଲି ଏବଂ ୦୨ଟି ପୌରାଞ୍ଚଳର ୮୧ ଟି ପଞ୍ଚାୟତ, ୧୯ଟି ୱାର୍ଡ, ୨୦୫ ଟି ଗାଁ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ୭୨ ଟି ମାଗଣା ରୋଷେଇ ଘର ଖୋଲାଯାଇଛି । ଏଥି ସହିତ ୧୨୦୦ ବୋତଲ ପାନୀୟ ଜଳ, ୧୩,୦୦୦ ୱାଟର ପାଉଚ୍, ୧୩ଟି ୱାଟର ଟ୍ୟାଙ୍କର ନିୟୋଜିତ ହୋଇଛି। ୧୭୭୫ଟି ନଳକୂପ ପ୍ରଭାବିତ ହୋଇଛି। ଆଜି ସୁଦ୍ଧା ୧୩୯.୮୨ କ୍ୱିଣ୍ଟାଲ ଚୁଡ଼ା ସର୍ବମୋଟ ୨୫୭.୭୮ କ୍ୱିଣ୍ଟାଲ ଓ ୨୧.୧୬ କ୍ୱିଣ୍ଟାଲ ଗୁଡ଼ ସର୍ବମୋଟ ୪୨.୭ କ୍ୱିଣ୍ଟାଲ ବଣ୍ଟନ କରାଯାଇଛି।୧,୧୬,୮୩୮ ଗୃହପାଳିତ ପଶୁ ବଡ଼-୮୧,୧୬୨, ଛୋଟ-୩୫,୬୭୬ ପ୍ରଭାବିତ ହୋଇଛନ୍ତି। ୨୭୦୦ ପଶୁଙ୍କ ଟୀକାକରଣ ଓ ୮୪୨ ପଶୁଙ୍କ ଚିକିତ୍ସା କରାଯାଇଛି।
ସେହିପରି ୨୧ଟି ମେଡିକାଲ ଟିମ୍ ଓ ୬ଟି ଭେଟେରିନାରୀ ଟିମ୍ ନିୟୋଜିତ ଅଛନ୍ତି। ୦୨ଟି ମୋବାଇଲ ୱାଟର ଟ୍ରିଟମେଣ୍ଟ ୟୁନିଟ୍ କାର୍ଯ୍ୟ କରୁଛି । ୧୯ ଜଣ ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । କୌଣସି ମହାମାରୀ ନାହିଁ । ଜିଲ୍ଲାରେ ଉଦ୍ଧାର କାର୍ଯ୍ୟ ପାଇଁ ଧାମନଗର ବ୍ଲକରେ ୦୧ଟି ଓଡି ଆର ଏଫ ଟିମ୍ ନିୟୋଜିତ ହୋଇଛି । ଜିଲ୍ଲା ପ୍ରଶାସନ ବନ୍ୟା ପରିସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖିଥିବା ନେଇ ମନ୍ତ୍ରୀ କହିଛନ୍ତି ।