ପଟ୍ଟାମୁଣ୍ଡାଇ: ଯାଜପୁର ଭାସି ବାଲିପାଟଣା ବ୍ରାହ୍ମଣୀ ନଦୀରୁ ଉଦ୍ଧାର ହେଲେ ବୃଦ୍ଧା । ଶୌଚ ପାଇଁ ଯାଇଥିବା ବେଳେ ଭାସି ଯାଇଥିଲେ ।
ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ବାଲିପାଟଣା ଗ୍ରାମ ନିକଟ ବ୍ରାହ୍ମଣୀ ନଦୀରୁ ଜଣେ ବୃଦ୍ଧାଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି । ପ୍ରଖର ନଦୀ ସ୍ରୋତରେ ସେ ପ୍ରାୟ ୨୦ରୁ ୨୨ କିଲୋମିଟର ଭାସି ଆସିବା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଉଦ୍ଧାର ହୋଇଥିବା ବୃଦ୍ଧା ଜଣକ ହେଉଛନ୍ତି ଯାଜପୁର ଜିଲ୍ଲା କାଇପଡ଼ା ଗ୍ରାମର କେସି ଦଳାଇ । ସେ ଶୌଚ ହେବା ପାଇଁ ନିଜ ଅଞ୍ଚଳରେ ନଦୀ କୂଳକୁ ଯାଇଥିବା ବେଳେ ଅସାବଧାନତା ବଶତଃ ତାଙ୍କ ଗୋଡ଼ ଖସି ଯାଇଥିଲା । ବନ୍ୟା ଯୋଗୁଁ ନଦୀର ପ୍ରଖର ସ୍ରୋତରେ ଯାଜପୁରରୁ ଭାସି ଭାସି ସେ କେନ୍ଦ୍ରାପଡ଼ାର ବାଲିପାଟଣା ନିକଟରେ ପହଞ୍ଚିଥିଲେ । ସେଠାରେ ସ୍ଥାନୀୟ ସତର୍କ ଗ୍ରାମବାସୀମାନେ ତାଙ୍କୁ ନଦୀ ମଧ୍ୟରେ ଦେଖି ତୁରନ୍ତ ନଦୀରୁ ଉଦ୍ଧାର କରିଥିଲେ ।
ଏହି ଆଶ୍ଚର୍ଯ୍ୟଜନକ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ସଠିକ୍ ସମୟରେ ବୃଦ୍ଧାଙ୍କୁ ଉଦ୍ଧାର କରିଥିବାରୁ ସ୍ଥାନୀୟ ଲୋକଙ୍କୁ ପ୍ରଶଂସା କରାଯାଉଛି ।