ଆଜି ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ପବିତ୍ର ପିତୃପକ୍ଷ ବା ମହାଳୟା ପକ୍ଷ ଆରମ୍ଭ ହୋଇଛି। ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ, ତିଳ-ତର୍ପଣ ଓ ପିଣ୍ଡଦାନ ପାଇଁ ଶ୍ରୀକ୍ଷେତ୍ର ପୁରୀ ଏବଂ ଭୁବନେଶ୍ବର ବିନ୍ଦୁ ସାଗରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଛି। ସକାଳୁ ସକାଳୁ ପୁରୀ ମହୋଦଧି କୂଳ ସମେତ ବିଭିନ୍ନ ତୀର୍ଥ ପୁଷ୍କରିଣୀ ଏବଂ ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟରେ ପିଣ୍ଡଦାନ ପାଇଁ ଲୋକଙ୍କ ଗହଳି ଦେଖିବାକୁ ମିଳିଛି।
ଏହି ୧୫ ଦିନିଆ ପବିତ୍ର ଅବସରରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ, ତିଳତର୍ପଣ ଓ ପିଣ୍ଡଦାନ କରାଯାଏ। ଏହା ଆଶ୍ୱିନ କୃଷ୍ଣ ଅମାବାସ୍ୟା ବା ମହାଳୟା ପର୍ଯ୍ୟନ୍ତ ଚାଲିବ।
ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ "ପିତୃପର୍ବ" ମଧ୍ୟ କୁହାଯାଏ । ଆଶ୍ୱିନ ମାସ କୃଷ୍ଣ ପକ୍ଷ ପ୍ରତିପଦା ଠାରୁ ଅମାବସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ କୁହାଯାଏ । ଚତୁର୍ଦ୍ଦଶୀ ଯାଏଁ ତର୍ପଣ କଲାପରେ ଅମାବସ୍ୟା ଦିନ ପିଣ୍ଡ ଦାନ କରାଯାଏ ।କନ୍ୟାରାଶିକୁ ଭଗ ନାମକ ସୂର୍ଯ୍ୟ ଗମନ କଲେ ପିତୃରାଜ୍ୟରେ ଶୁଭଫଳ ମିଳିଥାଏ । ତେଣୁ ଅବିମୁକ୍ତ ଥିବା ପ୍ରେତମାନେ ଏହି ସୂର୍ଯ୍ୟଙ୍କର କିରଣକୁ ସହ୍ୟ କରିପାରନ୍ତି ନାହିଁ । ତେଣୁ ପିତୃଲୋକମାନେ କନ୍ୟା ସଂଯୁକ୍ତ ହୋଇ ତିଳୋଦଳ ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି ।