ଭୁବନେଶ୍ୱର: ରାଜ୍ୟରେ ନିଯୁକ୍ତି ସୁଯୋଗକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ଲକ୍ଷ୍ୟ ନେଇ କାମ କରୁଛନ୍ତି। ମାତ୍ର ୨ ବର୍ଷ ୩ ମାସ ଭିତରେ ରାଜ୍ୟରେ ସଫଳତାର ସହ ୧୭ଟି ନିଯୁକ୍ତି ମେଳା ଆୟୋଜନ କରାଯାଇଛି। ଆଗାମୀ ୫ ବର୍ଷ ଭିତରେ ଦେଢ଼ ଲକ୍ଷରୁ ଅଧିକ ସରକାରୀ ଚାକିରି ଦେବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ, ଓଡ଼ିଶାର ଜନସଂଖ୍ୟାର ପ୍ରତି ୧୦୦ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ ସରକାରୀ ଚାକିରି ଦେବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି।
୨୦୨୪ ଜୁନ୍ ମାସରୁ ଏଯାଏଁ ୪୬ ହଜାର ୫୭୫ ଜଣଙ୍କୁ ସରକାରୀ ନିଯୁକ୍ତି ମିଳିଥିବା ବେଳେ, ଆଗାମୀ ସେପ୍ଟେମ୍ବର ମାସ ସୁଦ୍ଧା ଏହି ସଂଖ୍ୟା ୫୦ ହଜାର ଅତିକ୍ରମ କରିବ। କେବଳ ସରକାରୀ କ୍ଷେତ୍ର ନୁହେଁ, ବେସରକାରୀ ଓ ଶିଳ୍ପ କ୍ଷେତ୍ରରେ ମଧ୍ୟ ନିଯୁକ୍ତି ସୃଷ୍ଟି ଜାରି ରହିଛି। ରାଜ୍ୟକୁ ୨୨ ଲକ୍ଷ ୫୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି, ଯାହାଦ୍ୱାରା ପ୍ରାୟ ୧୮ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ। ଏହାବ୍ୟତୀତ ପ୍ରତି ଜିଲ୍ଲାରେ ଶିଳ୍ପାନୁଷ୍ଠାନ ସ୍ଥାପନ କରାଯାଇ ସ୍ଥାନୀୟ ନିଯୁକ୍ତିକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସରକାରୀ ଏବଂ ଶିଳ୍ପ କ୍ଷେତ୍ରର ନିଯୁକ୍ତିକୁ ମିଶାଇ ଏଯାଏଁ ମୋଟ ୧ ଲକ୍ଷ ୧୮ ହଜାର ୫୭୫ ଜଣଙ୍କୁ ନିଯୁକ୍ତି ଦିଆସରିଛି। ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ପାଇଁ ରାଜ୍ୟରେ ବର୍ତ୍ତମାନ ୧୪ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇଥିବାବେଳେ ଆହୁରି ୪ଟି ନୂତନ ମେଡିକାଲ କଲେଜ ପାଇଁ ଯୋଜନା ଚାଲିଛି। ଡାକ୍ତରଙ୍କ ଅଭାବ ଦୂର କରିବା ପାଇଁ ୮୯୨ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି ଏବଂ ଆଗାମୀ ଦିନରେ ଅଧିକ ଡାକ୍ତର ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରହିଛି।
ନବନିଯୁକ୍ତ ଅଧିକାରୀମାନେ ହେଉଛନ୍ତି ସରକାରଙ୍କ ମେରୁଦଣ୍ଡ ଏବଂ ସାଧାରଣ ଲୋକଙ୍କ କାମକୁ ଠିକ୍ ଭାବେ ତୁଲାଇବା ପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ନିଯୁକ୍ତି ଦିଆଯାଉଛି। ସମ୍ପ୍ରତି ୩୦ ଜଣ ଓଏଏସ୍ (OAS), ୪୨ ଜଣ ଓଆରଏସ୍ (ORS), ୪୦ ଜଣ ଓଏଫ୍ଏସ୍ (OFS) ଏବଂ ୬୦ ଜଣ ଓଟିଏସ୍ (OTS) ଅଧିକାରୀଙ୍କୁ ନିଯୁକ୍ତି ମିଳିଛି।
ନିଯୁକ୍ତି ପାଇବା ପରେ ଏବେ ସମସ୍ତେ ଜଣେ ଶୃଙ୍ଖଳିତ ସରକାରୀ କର୍ମଚାରୀ ଭାବେ ଆନ୍ତରିକତା ଓ ନିଷ୍ଠାର ସହ ନିଜ ଦାୟିତ୍ୱ ନିର୍ବାହ କରିବା ଉଚିତ୍। ଦୁର୍ନୀତିମୁକ୍ତ ପ୍ରଶାସନ ଏବଂ ରାଜସ୍ୱ ବୃଦ୍ଧି ମାଧ୍ୟମରେ ଏକ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ଅଧିକାରୀମାନଙ୍କୁ ଆହ୍ୱାନ ଜଣାଇଛନ୍ତି।