ଭୁବନେଶ୍ୱର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶିଶିର ଦାଶ। ଆଜି ସକାଳୁ ରାଜ୍ୟର ଭୁବନେଶ୍ୱର ସମେତ ମୋଟ ୬ଟି ଭିନ୍ନ ଭିନ୍ନ ସ୍ଥାନରେ ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ଏକକାଳୀନ ଚଢ଼ାଉ ଜାରି ରଖିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ମାଲକାନଗିରି ଡିଆରଡିଏ (DRDA) କାର୍ଯ୍ୟାଳୟ ସମେତ ତାଙ୍କର ଭଡ଼ା ଘର ଏବଂ ପୈତୃକ ବାସଭବନରେ ଏହି ତନଖି ଚାଲିଛି। ଜଣେ ଅତିରିକ୍ତ ଏସପି, ୫ ଜଣ ଡିଏସପି ଏବଂ ୫ ଜଣ ଇନ୍ସପେକ୍ଟରଙ୍କ ସମେତ ଏକ ବିଶାଳ ଟିମ୍ ଏହି ଚଢ଼ାଉର ନେତୃତ୍ୱ ନେଉଛନ୍ତି।
ଯନ୍ତ୍ରୀ ଶିଶିର ଦାଶଙ୍କ ନାମରେ ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ନେଇ ବହୁ ଦିନରୁ ଅଭିଯୋଗ ହୋଇଆସୁଥିଲା। ଏହି କ୍ରମରେ ଭିଜିଲାନ୍ସ ଟିମ୍ ତଦନ୍ତ ଆଳରେ ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳରେ ରହିଥିବା ଏକ ସୁଉଚ୍ଚ କୋଠା, ବ୍ରହ୍ମପୁର ନୀଳାଚଳ ନଗରରେ ଥିବା ଏକ ଦୁଇ ମହଲା କୋଠା ଏବଂ ଗଞ୍ଜାମ ଜିଲ୍ଲା ବାସୁଦେବପୁର ସ୍ଥିତ ତାଙ୍କର ପୈତୃକ ବାସଭବନରେ ଖାନତଲାସି କରୁଛି।
ଚଢ଼ାଉ ସମୟରେ ବ୍ୟାଙ୍କ ଜମା, ସୁନାଗହଣା ଏବଂ ବିଭିନ୍ନ ଦାମୀ କାଗଜପତ୍ର ଜବତ ହେବାର ସମ୍ଭାବନା ରହିଛି। ତଦନ୍ତ ସମ୍ପୂର୍ଣ୍ଣ ହେବା ପରେ ଯନ୍ତ୍ରୀଙ୍କ ମୋଟ ସମ୍ପତ୍ତିର ପରିମାଣ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି।