ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ଉଦ୍ବେଗଜନକ ହୋଇପଡ଼ିଛି। ପ୍ରବଳ ବର୍ଷା ଓ ଉପରମୁଣ୍ଡରୁ ଆସୁଥିବା ବନ୍ୟାଜଳ ଯୋଗୁଁ ୧୦ଟି ଜିଲ୍ଲାର ୧,୦୭୧ଟି ଗାଁ, ୮୦ଟି ବ୍ଲକ ଓ ୩୨୫ଟି ପଞ୍ଚାୟତ ପ୍ରଭାବିତ ହୋଇଛି। ଏହାସହ ୧୦ଟି ସହରାଞ୍ଚଳର ୪୯ଟି ୱାର୍ଡ ମଧ୍ୟ ବନ୍ୟା କବଳରେ ରହିଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।
ପ୍ରଶାସନ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୪୦,୩୨୯ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ୩୯୫ଟି ରିଲିଫ ସେଣ୍ଟର ଖୋଲାଯାଇଥିବାବେଳେ ୭୩,୦୮୫ରୁ ଅଧିକ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ବନ୍ୟାରେ ୭୨୧ଟି ଘର କ୍ଷତିଗ୍ରସ୍ତ ହୋଇଥିବା ମଧ୍ୟ ସରକାରୀ ତଥ୍ୟରେ ଉଲ୍ଲେଖ ରହିଛି।
ଝାଡ଼ଖଣ୍ଡର ବନ୍ୟାଜଳ ବଢ଼ାଇଲା ଚିନ୍ତା
ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଝାଡ଼ଖଣ୍ଡରୁ ଆସୁଥିବା ବନ୍ୟାଜଳ ଯୋଗୁଁ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ାରେ ପରିସ୍ଥିତି ଅଧିକ ଗମ୍ଭୀର ହୋଇପାରେ। ତେବେ ମହାନଦୀ ଅବବାହିକାରେ ବର୍ତ୍ତମାନ କୌଣସି ବନ୍ୟା ଆଶଙ୍କା ନାହିଁ ଏବଂ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସ୍ଥିତି ସ୍ୱାଭାବିକ ହେବାର ଆଶା ରହିଛି।
ହୀରାକୁଦର ୧୬ ଗେଟ୍ ଦେଇ ଛଡ଼ାଯାଉଛି ପାଣି
ଅବିରତ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ୁଥିବାରୁ ବର୍ତ୍ତମାନ ୧୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ସେଥିରୁ ୧୧ଟି ବାମ ପାର୍ଶ୍ୱ ଏବଂ ୫ଟି ଡାହାଣ ପାର୍ଶ୍ୱ ଗେଟ୍ ଖୋଲା ରହିଛି।
ବୈତରଣୀ ବିପଦ ସଙ୍କେତ ଉପରେ
ବୈତରଣୀ ନଦୀର ଜଳସ୍ତର ମଧ୍ୟ ଚିନ୍ତା ବଢ଼ାଇଛି। କେନ୍ଦୁଝରର ପାଟଣାଠାରେ ବିପଦ ସଙ୍କେତ ୩୧୧.୧୦ ମିଟର ଥିବାବେଳେ ଜଳସ୍ତର ୩୧୧.୨୭ ମିଟରରେ ପହଞ୍ଚିଛି। ଏହାଫଳରେ କପୁଣ୍ଡି-ପଇଡ଼ା କେନାଲ ଉପରେ ପ୍ରାୟ ୫ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି ଏବଂ ସାହାରପଡ଼ା ବ୍ଲକର ୫ଟି ପଞ୍ଚାୟତର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
ଯାଜପୁରର ଆଖୁଆପଦାରେ ମଧ୍ୟ ବୈତରଣୀ ବିପଦ ସଙ୍କେତଠାରୁ ୧ ମିଟରରୁ ଅଧିକ ଉପରେ ପ୍ରବାହିତ ହେଉଛି। ପ୍ରଶାସନ ପକ୍ଷରୁ ନଦୀବନ୍ଧରେ ୨୪ ଘଣ୍ଟିଆ ପାଟ୍ରୋଲିଂ ଜାରି ରହିଛି।
ନୀଳଗିରି ଓ ମୟୂରଭଞ୍ଜରେ ସ୍ଥିତି ଗମ୍ଭୀର
ବାଲେଶ୍ୱରର ନୀଳଗିରି ଅଞ୍ଚଳରେ ସୋନେ ନଦୀର ବନ୍ୟା ଯୋଗୁଁ ୫ଟି ପଞ୍ଚାୟତର ଲୋକେ ଆତଙ୍କରେ ଅଛନ୍ତି। ବଡ଼ିଆ ଗାଁକୁ ଯିବା ରାସ୍ତାରେ ୧୦ ଫୁଟ ପାଣି ଚାଲୁଥିବାରୁ ଗାଁଟି ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି। ଅନ୍ୟପଟେ ମୟୂରଭଞ୍ଜରେ ଜଳକା ନଦୀ ଚଳିତ ବର୍ଷ ଷଷ୍ଠ ଥର ପାଇଁ ବନ୍ୟା ସୃଷ୍ଟି କରିଛି। ସୁଳିଆପଦା, ମୋରଡ଼ା, ଚିତ୍ରଡ଼ା ଓ ରାସଗୋବିନ୍ଦପୁର ବ୍ଲକ ପ୍ରଭାବିତ ହୋଇଥିବାବେଳେ ବସ୍ତା ବ୍ଲକର ୭ଟି ପଞ୍ଚାୟତରେ ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି।