ଭୁବନେଶ୍ୱର : ଓଡ଼ିଶା ପୋଲିସ ବାହିନୀରେ ନିଯୁକ୍ତିକୁ ନେଇ ଏକ ବଡ଼ ଘୋଷଣା ହୋଇଛି। ଆସନ୍ତା ୨୦୨୭ ଫେବୃୟାରୀ ସୁଦ୍ଧା ରାଜ୍ୟରେ ପ୍ରାୟ ୧୦ ହଜାର ପୋଲିସ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ । ଓଡ଼ିଶା ପୋଲିସର ମହାନିର୍ଦ୍ଦେଶକ ସମ୍ବଲପୁର ଗସ୍ତରେ ଯାଇ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି।
ଆସନ୍ତା ଫେବୃୟାରୀ ସୁଦ୍ଧା ସମସ୍ତ ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିମଧ୍ୟରେ ସବ୍-ଇନ୍ସପେକ୍ଟର , କନଷ୍ଟେବଳ ଏବଂ ଅନ୍ୟାନ୍ୟ ପୋଲିସ ବିଭାଗର ପଦବୀ ଅନ୍ତର୍ଭୁକ୍ତ । ଏହା ଦ୍ୱାରା ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଅଧିକ ସଦୃଢ଼ ହେବା ସହ ପୋଲିସ ବାହିନୀରେ ଥିବା ଖାଲି ପଦବୀଗୁଡ଼ିକ ଶୀଘ୍ର ପୂରଣ ହୋଇପାରିବ।
ସୂଚନା ଥାଉକି ସମ୍ବଲପୁର ଜିଲ୍ଲା ଗସ୍ତରେ ଅଛନ୍ତି ଓଡ଼ିଶା ପୋଲିସ୍ ଡିଜି । ବୁର୍ଲା ବିଟିଆଇରେ ସିପାହୀ ପାସିଂ ଆଉଟ୍ ପରେଡ୍ରେ ଯୋଗଦାନ କରିଛନ୍ତି। ଡିଆଇଜି କାର୍ଯ୍ୟାଳୟରେ ୫ ଜିଲ୍ଲାର ଏସ୍ପିମାନଙ୍କ ସହ ଆଇନଶୃଙ୍ଖଳା ସମୀକ୍ଷା ଓ ପୋଲିସ୍ ବ୍ୟବସ୍ଥାର ସମୀକ୍ଷା ହୋଇଛି।
ଏହି ଘୋଷଣା ପରେ ଚାକିରି ଆଶାୟୀ ଯୁବକଯୁବତୀଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ଅଟେ । ନିଯୁକ୍ତି ସମ୍ବନ୍ଧୀୟ ସବିଶେଷ ବିଜ୍ଞପ୍ତି ଓ ଆବେଦନ ପ୍ରକ୍ରିୟା ପାଇଁ ଆପଣ ଓଡ଼ିଶା ପୋଲିସର ଅଫିସିଆଲ୍ ୱେବସାଇଟ୍ ନିୟମିତ ଯାଞ୍ଚ କରିପାରିବେ।