ପୁରୀ : ଆସନ୍ତା ସେପ୍ଟେମ୍ବର ୩୦ ତାରିଖରୁ ଭକ୍ତଙ୍କ ଦର୍ଶନ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର । ପ୍ରେସମିଟ୍ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏହି ସୂଚନା ଦେଇଛନ୍ତି।
ସକାଳ ୬ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲିବ ଗୁଣ୍ଡିଚା ମନ୍ଦିର। ମନ୍ଦିର ଖୋଲିବା ପରେ ପ୍ରଥମ ୩ ଦିନ ପାଇଁ ଭକ୍ତମାନେ ବିନାମୂଲ୍ୟରେ ମାଗଣାରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଏହାପରେ ୧୦ ଟଙ୍କା ଶୁଳ୍କ ଆଦାୟ କରାଯିବ କିନ୍ତୁ ବରିଷ୍ଠ ନାଗରିକ ଓ ଶିଶୁଙ୍କ ପାଇଁ କୌଣସି ଦେୟ ପଡ଼ିବନି। ଦାନବାକ୍ସ ଗଣତି ପାଇଁ ସିସିଟିଭି ରହିଛି। ଶ୍ରଦ୍ଧାଳୁଙ୍କ ପାଇଁ ଜୋତା ଓ ମୋବାଇଲ୍ ଷ୍ଟାଣ୍ଡ ମାଗଣା ବ୍ୟବସ୍ଥା କରାଯିବ। ଦିବ୍ୟାଙ୍ଗ ମାନଙ୍କ ଦର୍ଶନ ପାଇଁ ରାମ୍ପ ବ୍ୟବସ୍ଥା କରାଯାଇଥିବା ମୁଖ୍ୟ ପ୍ରଶାସକ କହିଛନ୍ତି।
ମନ୍ଦିର ଭିତରେ ଚାଲିଥିବା ଉନ୍ନୟନମୂଳକ ଓ ମରାମତି କାର୍ଯ୍ୟ ଶେଷ ହୋଇଥିବାରୁ ଭକ୍ତଙ୍କ ପ୍ରବେଶ ପାଇଁ ବ୍ୟବସ୍ଥା ହୋଇଛି ।
ପୂର୍ବରୁ ଭକ୍ତମାନେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଗୁଣ୍ଡିଚା ମନ୍ଦିର ଆସି ଜନ୍ମଵେଦି ଦର୍ଶନ କରିଥାନ୍ତି । ତେବେ ଦୀର୍ଘବର୍ଷ ହେବ ଶ୍ରୀଗୁଣ୍ଡିଚା ମନ୍ଦିର ବନ୍ଦ ରହିଥିବାରୁ ଏବେବି ଭକ୍ତମାନେ ଭିତରକୁ ନଯାଇପାରି ବାହାରୁ ନିରାଶ ହୋଇ ଫେରୁଛନ୍ତି । ତେଣୁ ଆସନ୍ତା ସପ୍ତାହରେ ଶ୍ରୀଗୁଣ୍ଡିଚା ମନ୍ଦିର ଭକ୍ତଙ୍କ ପାଇଁ ଖୋଲୁଥିବାରୁ ଶ୍ରଦ୍ଧାଳୁଙ୍କ ମନରେ ବେଶ ଉତ୍ସାହ ଦେଖାଦେଇଛି।