ଭୁବନେଶ୍ୱର: ଓଡ଼ିଶାର ସାମୁଦ୍ରିକ ଭିତ୍ତିଭୂମି ଓ ବନ୍ଦର କ୍ଷେତ୍ର ପାଇଁ ଆସିଛି ବଡ଼ ଖବର। କେନ୍ଦ୍ର ସରକାର ଇଣ୍ଡିଆନ୍ ପୋର୍ଟସ୍ ଆକ୍ଟ, ୨୦୨୫ ଅଧୀନରେ ପାରାଦୀପ ବନ୍ଦରକୁ ‘ମେଗା ପୋର୍ଟ’ ଭାବେ ଅଧିସୂଚିତ କରିଛନ୍ତି। ସେପ୍ଟେମ୍ବର ୨୫ରେ ଜାରି ହୋଇଥିବା କେନ୍ଦ୍ରର ବିଜ୍ଞପ୍ତି ପରେ ପାରାଦୀପ ଦେଶର ମେଗା ପୋର୍ଟ ତାଲିକାରେ ସାମିଲ ହୋଇଛି।
ଏହି ମାନ୍ୟତା ସହ ଭାରତର ପୂର୍ବ ଉପକୂଳରେ ପାରାଦୀପ ଏକମାତ୍ର ମେଗା ପୋର୍ଟ ଭାବେ ସ୍ଥାନ ପାଇଛି। ତେବେ ଦେଶରେ ମୋଟ ଚାରିଟି ବନ୍ଦରକୁ ଏହି ମାନ୍ୟତା ମିଳିଛି, ପାରାଦୀପ ସହ ଦୀନଦୟାଲ ବନ୍ଦର, ଜବାହରଲାଲ ନେହରୁ ବନ୍ଦର ଓ ମୁନ୍ଦ୍ରା ବନ୍ଦର।
ଇଣ୍ଡିଆନ୍ ପୋର୍ଟସ୍ ଆକ୍ଟର ଧାରା ୭୩ ଅନୁଯାୟୀ ନିର୍ଦ୍ଧାରିତ ମାନଦଣ୍ଡ ଆଧାରରେ ବନ୍ଦରଗୁଡ଼ିକର ମୂଲ୍ୟାଙ୍କନ ପରେ ଏହି ମାନ୍ୟତା ଦିଆଯାଇଛି। ଏହି ଆଇନରେ ‘ମେଗା ପୋର୍ଟ’ ଶ୍ରେଣୀକରଣ ପାଇଁ କେନ୍ଦ୍ର ସରକାରଙ୍କୁ ମାନଦଣ୍ଡ ନିର୍ଦ୍ଧାରଣ ଓ ଯୋଗ୍ୟ ବନ୍ଦରକୁ ଅଧିସୂଚିତ କରିବାର କ୍ଷମତା ଦିଆଯାଇଛି।
ପାରାଦୀପ ବନ୍ଦରର ବଢ଼ୁଥିବା କାର୍ଗୋ ହ୍ୟାଣ୍ଡଲିଂ କ୍ଷମତା, ଭିତ୍ତିଭୂମି ଓ କାର୍ଯ୍ୟକ୍ଷମତାକୁ ଏହି ମାନ୍ୟତା ସ୍ୱୀକୃତି ଦେଇଛି। ୨୦୨୫-୨୬ ଆର୍ଥିକ ବର୍ଷରେ ପାରାଦୀପ ବନ୍ଦର ୧୫୬.୪୫ ମିଲିୟନ୍ ମେଟ୍ରିକ୍ ଟନ୍ କାର୍ଗୋ ହ୍ୟାଣ୍ଡଲ୍ କରିଥିବା ରିପୋର୍ଟ ହୋଇଛି।
ମେଗା ପୋର୍ଟ ମାନ୍ୟତା ପରେ ପାରାଦୀପର ଭିତ୍ତିଭୂମି ବିକାଶ, କାର୍ଗୋ ପରିଚାଳନା ଓ ସାମୁଦ୍ରିକ ସଂଯୋଗ ଆହୁରି ସୁଦୃଢ଼ ହେବାର ସୁଯୋଗ ରହିଛି। ଏହା ଓଡ଼ିଶାର ବନ୍ଦରକେନ୍ଦ୍ରିକ ଶିଳ୍ପ ଓ ବାଣିଜ୍ୟିକ କାର୍ଯ୍ୟକଳାପ ପାଇଁ ମଧ୍ୟ ଗୁରୁତ୍ୱ ବହନ କରିବ।
ଏହି ମାନ୍ୟତାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତିକ୍ରିୟା ଦେଇ ଏହାକୁ ଓଡ଼ିଶାର ସାମୁଦ୍ରିକ ଅର୍ଥନୀତି ପାଇଁ ଏକ ମାଇଲଖୁଣ୍ଟ ବୋଲି କହିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ପାରାଦୀପକୁ ମେଗା ପୋର୍ଟ ମାନ୍ୟତା ମିଳିବା ସହ ଓଡ଼ିଶାର ସାମୁଦ୍ରିକ ଅର୍ଥନୀତି, ବନ୍ଦର ଭିତ୍ତିଭୂମି ଓ ଲଜିଷ୍ଟିକ୍ସ କ୍ଷେତ୍ରରେ ଆଗାମୀ ଦିନରେ ନୂଆ ସୁଯୋଗ ସୃଷ୍ଟି ହେବା ଉପରେ ଏବେ ନଜର ରହିଛି।