ଭୁବନେଶ୍ୱର : ଜଟଣୀ ଗଣେଶ ମୂର୍ତ୍ତି ବିସର୍ଜନ ଭସାଣୀ ବେଳେ ଡିଜେ ପାଇଁ ଘଟିଛି ଅତ୍ୟନ୍ତ ଦୁଃଖଦାୟକ ଓ ବଡ ଅଘଟଣ । ଉଚ୍ଚ ସ୍ୱର ଏବଂ ପ୍ରବଳ କମ୍ପନ ସୃଷ୍ଟି କରୁଥିବା ଡିଜେ ଶବ୍ଦ ଯୋଗୁଁ ଏକ କୋଠାଘରର କଂକ୍ରିଟ୍ ତାଜା ଭୁଶୁଡ଼ି ପଡ଼ିଛି, ଯାହା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ରୁ ଊର୍ଦ୍ଧ୍ୱ ଲୋକ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ ଜଟଣୀର ପଞ୍ଜାବ ନେସନାଲ ବ୍ୟାଙ୍କ ନିକଟବର୍ତ୍ତୀ ଅଞ୍ଚଳରେ ଗଣେଶ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ଚାଲିଥିବା ସମୟରେ ଏହି ଦୁର୍ଘଟଣା ଘଟିଛି।ଏକାକାଳୀନ ଭସାଣିରେ ବାଜୁଥିବା ଏକାଧିକ ଡିଜେର ହାଇ-ବେସ୍ ଶବ୍ଦର ପ୍ରବଳ କମ୍ପନକୁ ସହ୍ୟ ନକରିପାରି ପୁରୁଣା କୋଠାର କଂକ୍ରିଟ୍ ସ୍ଲାବ୍ ବା ତାଜାଟି ହଠାତ ଖସିପଡ଼ିଥିଲା। ଯାହାଫଳରେ ସେହି ସମୟରେ ତାଜା ତଳେ ଠିଆ ହୋଇ ଭସାଣି ଦେଖୁଥିବା ଲୋକମାନେ ଏହାର ଧ୍ୱଂସାବଶେଷ ତଳେ ଚାପି ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ପ୍ରାଣ ହରାଇଥିବା ବେଳେ ଅନ୍ୟ ଗୁରୁତର ଆହତମାନଙ୍କୁ ଉଦ୍ଧାର କରାଯାଇ ତୁରନ୍ତ କ୍ୟାପିଟାଲ ହସପିଟାଲ ଓ ଏମ୍ସରେ ଭର୍ତ୍ତି କରାଯାଇଛି ।
ପ୍ରଶାସନର କଟକଣା ସତ୍ତ୍ୱେ ଏଭଳି ଉଚ୍ଚକ୍ଷମତା ସମ୍ପନ୍ନ ଡିଜେ ବ୍ୟବହାର ଯୋଗୁଁ ଏହି ଅଘଟଣ ଘଟିଥିବାରୁ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।
ତେବେ ଘଟଣାସ୍ଥଳରେ ପୋଲିସ ଥାଇ ମଧ୍ୟ ବେନିୟମ ଭାବେ ଶୋଭାଯାତ୍ରାରେ ଡିଜେକୁ ସାମିଲ କରାଯାଇଥିଲା। ଅତିରିକ୍ତ ପୋଲିସ କମିଶନର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ତଦନ୍ତ କରିଛନ୍ତି। ଡିଜେ ଯୋଗୁ ତାଜା ଭୁଶୁଡ଼ିଛି ନା ଅନ୍ୟ କିଛି କାରଣ ରହିଛି ସେନେଇ ଛାନଭିନ କରାଯାଉଛି।