ଭୁବନେଶ୍ଵର : ପଶ୍ଚିମ ଓଡ଼ିଶାରେ ବଡ଼ ହସ୍ପିଟାଲ ନିର୍ମାଣ କରିବ ବେଦାନ୍ତ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରସ୍ତାବ ଦେଲେ ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ। ଏହି ହସ୍ପିଟାଲରେ ଏକ ହଜାର ଶଯ୍ୟା ରହିବ ।
ସେହିପରି ଝାରସୁଗୁଡାରେ ବେଦାନ୍ତ ୨ ମିଲିୟନ ଟନର ସ୍ମେଲଟର ପ୍ଲାଣ୍ଟ ନିର୍ମାଣ କରିବ । ଏଥିରେ ୧ ଲକ୍ଷ କୋଟିର ନିବେଶ ହେବ । ଏଥିପାଇଁ ରାଜ୍ୟ ସରକାର ୫୦୦ ଏକର ଜାଗା ଯୋଗାଇ ଦେଇଛନ୍ତି । ଏତଦ୍ ବ୍ୟତୀତ ସିଜିମାଳୀ ଏବଂ କର୍ଲାପାଟ ଖଣିକୁ ଖୁବଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ ଏନେଇ ଆଲୋଚନା କରିଛନ୍ତି ।
ଏହି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ଯୁବବର୍ଗଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଆଗ୍ରହୀ ଅଛନ୍ତି। ସେଥିପାଇଁ ଦେଶ ତଥା ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ପୁଞ୍ଜିନିବେଶ ଆକର୍ଷିତ କରିବା ପାଇଁ ପ୍ରୟାସ କରାଯାଉଛି । ନିଯୁକ୍ତି ସୃଷ୍ଟି ଏବଂ ସ୍ଥାନୀୟ ବିକାଶରେ ଏହି ପ୍ରକଳ୍ପଗୁଡ଼ିକର ବ୍ୟାପକ ସମ୍ଭାବନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଲୁମିନିୟମ କ୍ଷେତ୍ରରେ ଏହି ପୁଞ୍ଜିନିବେଶକୁ ସମସ୍ତ ସହଯୋଗ ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ସୂଚନା ଦେଇ କହିଛନ୍ତି ଯେ, "ଆମର ପ୍ରସ୍ତାବିତ ପୁଞ୍ଜିନିବେଶଗୁଡ଼ିକର ଲକ୍ଷ୍ୟ ହେଉଛି ଏକ ବିଶ୍ୱସ୍ତରୀୟ ଶିଳ୍ପ ପରିବେଶ ପ୍ରତିଷ୍ଠା କରିବା ଯାହା ଭାରତର ମୌଳିକ କାଠାମୋ, ଶକ୍ତି ପରିବର୍ତ୍ତନ, ଉନ୍ନତ ଉତ୍ପାଦନ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟାକୁ ଶକ୍ତି ଯୋଗାଇବ। ଓଡ଼ିଶା ସରକାରଙ୍କ ସହ ମିଶି ଆମେ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ସମ୍ପଦ ନିର୍ମାଣ, ବ୍ୟାପକ ନିଯୁକ୍ତି ସୃଷ୍ଟି, ସ୍ଥାନୀୟ ଉଦ୍ୟୋଗଗୁଡ଼ିକୁ ମଜଭୁତ କରିବା ଏବଂ ଏକ ବିକଶିତ ଭାରତ ଗଠନରେ ଅର୍ଥପୂର୍ଣ୍ଣ ଅବଦାନ ରଖିବା ପାଇଁ ପ୍ରତିଶ୍ରୁତିବଦ୍ଧ ଅଟୁ।