ନୂଆଦିଲ୍ଲୀ: କେନ୍ଦ୍ରୀୟ ନିର୍ବାଚନ ଆୟୋଗ (ECI) ପକ୍ଷରୁ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକ ଏବଂ ଏହାର ସ୍ପଷ୍ଟୀକରଣ ପରେ ଭାରତୀୟ ଜନତା ପାର୍ଟି (ବିଜେପି) କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କୁ କଡ଼ା ଆକ୍ରମଣ କରିଛି। ନିର୍ବାଚନ ଆୟୋଗଙ୍କ ସର୍ବସମ୍ମତ ନିଷ୍ପତ୍ତି ସାମ୍ନାକୁ ଆସିବା ପରେ "ଦୁଧ କା ଦୁଧ, ପାନୀ କା ପାନୀ" ହୋଇଯାଇଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି।
ଶନିବାର ଅନୁଷ୍ଠିତ ପ୍ରେସମିଟ୍ରେ ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ କେବଳ ଯେକୌଣସି ପ୍ରକାରେ କ୍ଷମତା ହାସଲ କରିବା ହେଉଛି ରାହୁଲଙ୍କ ଏକମାତ୍ର ଲକ୍ଷ୍ୟ। ଏଥିପାଇଁ ସେମାନେ ଦେଶର ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ମଧ୍ୟ ଟାର୍ଗେଟ୍ କରିବାକୁ ପଛାଉ ନାହାନ୍ତି ଏବଂ ଦଳର ଏଭଳି ଆଚରଣ ସେମାନଙ୍କର ଅପରିପକ୍ୱତାକୁ ପ୍ରମାଣିତ କରୁଛି।
ସମ୍ବିତ ପାତ୍ର ଅଭିଯୋଗ କରିଛନ୍ତି ଯେ, ସୁପ୍ରିମକୋର୍ଟ ଏବଂ ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟ ରାୟ ଓ ସହମତି ସତ୍ତ୍ୱେ କଂଗ୍ରେସ ଦଳ ଅନାବଶ୍ୟକ ଭାବେ ବିବାଦ ସୃଷ୍ଟି କରୁଛି। ରାହୁଲ ଗାନ୍ଧୀ ଏବଂ କଂଗ୍ରେସର ମୂଳ ନୀତି ହେଲା ଯଦି ସେମାନେ ନିର୍ବାଚନ ଜିତି ପାରୁନାହାନ୍ତି, ତେବେ ସମଗ୍ର ଗଣତାନ୍ତ୍ରିକ ବ୍ୟବସ୍ଥା ଏବଂ ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି।
୨୦୧୪ ମସିହା ପରଠାରୁ କଂଗ୍ରେସ ଦଳ କେବଳ ନିର୍ବାଚନ ଆୟୋଗ କିମ୍ବା ସୁପ୍ରିମକୋର୍ଟ ନୁହେଁ, ବରଂ ଭାରତୀୟ ସେନା ଏବଂ ସର୍ଜିକାଲ ଷ୍ଟ୍ରାଇକ୍ ଉପରେ ମଧ୍ୟ ପ୍ରଶ୍ନ ଉଠାଇ ସେମାନଙ୍କର ବିଶ୍ୱସନୀୟତାକୁ କ୍ଷୁଣ୍ଣ କରିଛି ବୋଲି ସେ କହିଛନ୍ତି। କଂଗ୍ରେସର ଏଭଳି ରାଜନୈତିକ କୌଶଳକୁ ଦେଶର ଜନସାଧାରଣ ଭଲଭାବେ ବୁଝିସାରିଛନ୍ତି ଏବଂ କେବଳ ସ୍ୱାର୍ଥ ହାସଲ ପାଇଁ ଦେଶର ଗୁରୁତ୍ୱପୂର୍ଣ୍ଣ ସଂସ୍ଥାଗୁଡ଼ିକ ଉପରେ ମିଥ୍ୟା ଅଭିଯୋଗ ଆଣିବା ଗ୍ରହଣୀୟ ନୁହେଁ ବୋଲି ବିଜେପି ମତ ଦେଇଛି।