ନୂଆଦିଲ୍ଲୀ: ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ (SIR) ଏବଂ ଏହାକୁ ନେଇ ସୃଷ୍ଟି ହୋଇଥିବା ବିବାଦକୁ ନେଇ କେନ୍ଦ୍ରୀୟ ନିର୍ବାଚନ ଆୟୋଗ (ECI) ଏକ ବଡ଼ ସ୍ପଷ୍ଟୀକରଣ ରଖିଛନ୍ତି। ଆୟୋଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, SIR ସମ୍ବନ୍ଧୀୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଆଦେଶ ତଥା ନିଷ୍ପତ୍ତି ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟ କମିଶନରମାନଙ୍କର ସର୍ବସମ୍ମତି ଅନୁମୋଦନ କ୍ରମେ ହିଁ ଗ୍ରହଣ କରାଯାଇଥିଲା।
ନୂଆଦିଲ୍ଲୀସ୍ଥିତ ନିର୍ବାଚନ ସଦନରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ଅନ୍ୟ ନିର୍ବାଚନ କମିଶନରମାନଙ୍କୁ ନେଇ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ସୂଚନା ଦିଆଯାଇଛି। ଆୟୋଗ ପକ୍ଷରୁ କୁହାଯାଇଛି ଯେ, ଗଣମାଧ୍ୟମରେ ପ୍ରକାଶ ପାଇଥିବା କୌଣସି ଆଭ୍ୟନ୍ତରୀଣ ମତଭେଦର କଥା ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ସମସ୍ତ ନୀତିଗତ କାର୍ଯ୍ୟକ୍ରମ ସମୂହ ସହମତିରେ ହିଁ କାର୍ଯ୍ୟକାରୀ ହୋଇଆସୁଛି।
ଆୟୋଗ ଆହୁରି ମଧ୍ୟ ସ୍ପଷ୍ଟ କରିଛି ଯେ, କ୍ୟାବିନେଟ୍ ସଚିବଙ୍କୁ ପଠାଯାଇଥିବା ଚିଠିଟି କୌଣସି ନୀତିଗତ ପ୍ରସଙ୍ଗ କିମ୍ବା ଆଇଟି ଡିଭିଜନର ନୁହେଁ, ବରଂ ଡେପୁଟେସନରେ ଥିବା ଜଣେ ଅଧିକାରୀଙ୍କ କାର୍ଯ୍ୟବିଧିକୁ ନେଇଥିଲା। ଭୋଟର ପଞ୍ଜୀକରଣ ପ୍ରକ୍ରିୟା ଏବଂ ସମ୍ପର୍କିତ ସମସ୍ତ ନିର୍ଦ୍ଦେଶକୁ ମାନ୍ୟବର ସୁପ୍ରିମକୋର୍ଟ ମଧ୍ୟ ସମର୍ଥନ କରିଛନ୍ତି ବୋଲି ଆୟୋଗ ଦର୍ଶାଇଛି। ବିଭିନ୍ନ ରାଜନୈତିକ ବାଦବିବାଦ ଏବଂ ଚର୍ଚ୍ଚା ଭିତରେ ନିର୍ବାଚନ ଆୟୋଗଙ୍କ ଏହି ସ୍ପଷ୍ଟୀକରଣ ପରେ ବର୍ତ୍ତମାନ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି।