ଭୁବନେଶ୍ୱର: ରାଜ୍ୟରେ ବ୍ୟାଘ୍ର ସଂରକ୍ଷଣ ଦିଗରେ ଆଉ ଏକ ବଡ଼ ପଦକ୍ଷେପ ନିଆଯିବାକୁ ଯାଉଛି। ଖୁବଶୀଘ୍ର ମଧ୍ୟପ୍ରଦେଶରୁ ଓଡ଼ିଶାକୁ ୩ଟି ମହାବଳ ବାଘ (Royal Bengal Tigers) ଅଣାଯିବାର ଯୋଜନା ରହିଛି। ଏଥିପାଇଁ ମଧ୍ୟପ୍ରଦେଶ ବନ ବିଭାଗ ଏବେ କେବଳ ଓଡ଼ିଶା ସରକାରଙ୍କ ବିଧିବଦ୍ଧ ଅନୁରୋଧକୁ ଅପେକ୍ଷା କରିଛି। ଆସନ୍ତା ଶୀତଦିନେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପ୍ରସ୍ତାବ ପଠାଯିବାର ସମ୍ଭାବନା ରହିଛି।
ବାଘ ସ୍ଥାନାନ୍ତର ଯୋଜନା ଏବଂ ପ୍ରସ୍ତୁତି
ବନ୍ୟପ୍ରାଣୀ ବିଭାଗର ଅତିରିକ୍ତ ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (APCCF) ଏଲ୍. କୃଷ୍ଣମୂର୍ତ୍ତୀଙ୍କ ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶ ସରକାର ଆନ୍ତଃରାଜ୍ୟ ବାଘ ସ୍ଥାନାନ୍ତର ଯୋଜନା ଅଧୀନରେ ଛତିଶଗଡ଼କୁ ୪ଟି, ଓଡ଼ିଶାକୁ ୩ଟି ଏବଂ ରାଜସ୍ଥାନକୁ ଗୋଟିଏ ବାଘ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶାରୁ ଆନୁଷ୍ଠାନିକ ଚିଠି ଏବଂ ଦାବି ମିଳିବା କ୍ଷଣି ମଧ୍ୟପ୍ରଦେଶର ପ୍ରସିଦ୍ଧ ବାନ୍ଧବଗଡ଼, ପେଞ୍ଚ୍ କିମ୍ବା ସାତପୁରା ବ୍ୟାଘ୍ର ଅଭୟାରଣ୍ୟରୁ ଏହି ୩ ବାଘଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ତ୍ୱରାନ୍ୱିତ ହେବ।
କାହିଁକି ବଛାଯାଇଛି ଶିମିଳିପାଳ ଓ ସାତକୋଶିଆ ?
ଓଡ଼ିଶାର ଶିମିଳିପାଳ ଏବଂ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ବାଘମାନଙ୍କ ପାଇଁ ପ୍ରଚୁର ପରିମାଣର ଶିକାର (ବାର୍ହା ଓ ହରିଣ) ଉପଲବ୍ଧ ରହିଛି।ଏଠାକାର ଭୌଗୋଳିକ ପରିବେଶ ମହାବଳମାନଙ୍କ ବାସସ୍ଥାନ ପାଇଁ ସମ୍ପୂର୍ଣ୍ଣ ଅନୁକୂଳ ହୋଇଥିବାରୁ, ସେମାନେ ଏଠାରେ ସହଜରେ ଖାପ ଖୁଆଇ ବଂଶବୃଦ୍ଧି କରିପାରିବେ।
ପୂର୍ବ ସଫଳତା ଯୋଗାଉଛି ଉତ୍ସାହ
ଶିମିଳିପାଳରେ ଥିବା ବିରଳ କଳାବାଘ ମାନଙ୍କର ଜିନ୍ଗତ (inbreeding) ସମସ୍ୟାକୁ ଦୂର କରିବା ପାଇଁ ରାଜ୍ୟ ସରକାର ୨୦୨୪ରେ ମହାରାଷ୍ଟ୍ରର ତଡୋବା ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପରୁ 'ଯମୁନା' ଏବଂ 'ଜିନ୍ନତ' ନାମକ ଦୁଇଟି ମହାବଳ ବାଘୁଣୀ ଆଣିଥିଲେ। ନିକଟରେ 'ଜିନ୍ନତ' ୪ଟି ସୁସ୍ଥ ଶାବକଙ୍କୁ ଜନ୍ମ ଦେବା ପରେ ବନ ବିଭାଗର ଆତ୍ମବିଶ୍ୱାସ ବଢ଼ିଛି। ବର୍ତ୍ତମାନ ମଧ୍ୟପ୍ରଦେଶରୁ ନୂତନ ଅତିଥି ଆସିଲେ, ରାଜ୍ୟରେ ବାଘ ସଂଖ୍ୟା ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇବ ବୋଲି ପରିବେଶବିତ୍ମାନେ ଆଶାବ୍ୟକ୍ତ କରିଛନ୍ତି।