ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ ଆୟୋଗ ଗଠନ ହେବା ପରେ ଦରମା ବୃଦ୍ଧି ନେଇ ଚର୍ଚ୍ଚା ଜୋରଧରିଛି। ବିଭିନ୍ନ କର୍ମଚାରୀ ସଂଘ ପକ୍ଷରୁ ବେତନ ସଂଶୋଧନ ଏବଂ ଫିଟମେଣ୍ଟ ଫାକ୍ଟରକୁ ନେଇ ବଡ଼ଧରଣର ଦାବି ଉପସ୍ଥାପନ କରାଯାଇଛି।
ଭାରତୀୟ ପ୍ରତିରକ୍ଷା ମଜଦୂର ସଂଘ (BPMS) ଏବଂ ଜଏଣ୍ଟ କନ୍ସଲ୍ଟେଟିଭ୍ ମସିନାରୀ (NC-JCM) ପକ୍ଷରୁ ଅଷ୍ଟମ ବେତନ ଆୟୋଗ ନିକଟରେ ସ୍ୱତନ୍ତ୍ର ପ୍ରସ୍ତାବ ଦାଖଲ କରାଯାଇଛି। ଏହି କ୍ରମରେ ବିପିଏମ୍ଏସ୍ (BPMS) କର୍ମଚାରୀଙ୍କ ସର୍ବନିମ୍ନ ମୂଳଦର ୭୨,୦୦୦ ଟଙ୍କା ଏବଂ ୪.୦ ଫିଟମେଣ୍ଟ ଫାକ୍ଟର ଲାଗୁ କରିବାକୁ ଦାବି କରିଛି।
ଏହି ସଂଘଗୁଡ଼ିକର ପ୍ରମୁଖ ଦାବି ମଧ୍ୟରେ ବିପିଏମ୍ଏସ୍ ସର୍ବନିମ୍ନ ବେତନ ୭୨,୦୦୦ ଟଙ୍କା ଓ ୪.୦୦ ଫିଟମେଣ୍ଟ ଫାକ୍ଟର ସହିତ ବାର୍ଷିକ ବୃଦ୍ଧିକୁ ୩% ରୁ ବଢ଼ାଇ ୬% କରିବାକୁ କହିଛି। ସେହିପରି ଏନ୍ସି-ଜେସିଏମ୍ ସର୍ବନିମ୍ନ ମୂଳଦର ୬୯,୦୦୦ ଟଙ୍କା ଏବଂ ୩.୮୩୩ ଫିଟମେଣ୍ଟ ଫାକ୍ଟର ସୁପାରିଶ କରିଥିବାବେଳେ ପରିବାର ଏକକକୁ ୩ ଜଣରୁ ବୃଦ୍ଧି କରି ୫ ଜଣିଆ କରିବାକୁ ଯୁକ୍ତି ବାଢ଼ିଛନ୍ତି।
ବର୍ଦ୍ଧିତ ମହଙ୍ଗା, ଜୀବନଧାରଣର ଖର୍ଚ୍ଚ ଏବଂ ଜାତୀୟ ଆୟ ବୃଦ୍ଧିକୁ ଆଖିଆଗରେ ରଖି ଏହି ପ୍ରସ୍ତାବ ଦିଆଯାଇଛି। ତେବେ ଏହା କେବଳ ବିଭିନ୍ନ କର୍ମଚାରୀ ସଂଘର ଦାବି ଓ ପ୍ରସ୍ତାବ ଅଟେ, ଏବଂ ବେତନ ଆୟୋଗର ଚୂଡ଼ାନ୍ତ ସୁପାରିଶ ଆସିବା ପରେ ହିଁ ସରକାର ଏହି ସମ୍ପର୍କରେ ଅନ୍ତିମ ନିଷ୍ପତ୍ତି ନେବେ।