ନୂଆଦିଲ୍ଲୀ: ଦେଶର କୋଟି କୋଟି ଘରୋଇ ଏଲ୍ପିଜି ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି। ଆଗାମୀ ଅକ୍ଟୋବର ୧ରୁ ଗ୍ୟାସ୍ ସବ୍ସିଡି ପାଇବା ପାଇଁ ବାୟୋମେଟ୍ରିକ୍ ଅଥେଣ୍ଟିକେସନକୁ ସମ୍ପୂର୍ଣ୍ଣ ବାଧ୍ୟତାମୂଳକ କରାଯାଇଛି। କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ପକ୍ଷରୁ ଏହି ନୂତନ ନିୟମ ସମ୍ପର୍କରେ ସ୍ପଷ୍ଟ କରାଯାଇଛି।
ସରକାରଙ୍କ ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ ହେଉଛି ସବ୍ସିଡିଯୁକ୍ତ ରୋଷେଇ ଗ୍ୟାସ୍ କେବଳ ପ୍ରକୃତ ଏବଂ ଯୋଗ୍ୟ ପରିବାରଗୁଡ଼ିକ ପାଖରେ ପହଞ୍ଚିବା ନିଶ୍ଚିତ କରିବା। ଅନେକ ସମୟରେ ଘରୋଇ ସବ୍ସିଡି ସିଲିଣ୍ଡରଗୁଡ଼ିକୁ ବ୍ୟବସାୟିକ କିମ୍ବା ଶିଳ୍ପ କ୍ଷେତ୍ରରେ ଅପବ୍ୟବହାର କରାଯାଉଥିବା ନଜରକୁ ଆସିଥାଏ। ଏହି କଡ଼ାକଡ଼ି ନିୟମ ଦ୍ୱାରା ନକଲି ଏବଂ ଅଯୋଗ୍ୟ ସଂଯୋଗଗୁଡ଼ିକ ସ୍ୱତଃ ବାଦ୍ ପଡ଼ିବେ ଏବଂ ସବ୍ସିଡି ବଣ୍ଟନ ପ୍ରକ୍ରିୟା ଅଧିକ ସ୍ୱଚ୍ଛ ହେବ।
୮୯.୯ ପ୍ରତିଶତ ଗ୍ରାହକ ସାରିଛନ୍ତି ପ୍ରକ୍ରିୟା
ମନ୍ତ୍ରାଳୟର ସୂଚନା ଅନୁଯାୟୀ, ଦେଶରେ ମୋଟ ୨୭.୪୩ କୋଟି ସକ୍ରିୟ ଗ୍ରାହକ ରହିଛନ୍ତି, ଯାହାଙ୍କ ମଧ୍ୟରୁ ପ୍ରାୟ ୮୯.୯ ପ୍ରତିଶତ ଗ୍ରାହକ (ପାଖାପାଖି ୨୪.୪୭ କୋଟିରୁ ଅଧିକ) ପୂର୍ବରୁ ହିଁ ଏହି ବାୟୋମେଟ୍ରିକ୍ ଅଥେଣ୍ଟିକେସନ୍ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିସାରିଛନ୍ତି। ଯେଉଁମାନେ ଏହା କରିସାରିଛନ୍ତି, ସେମାନଙ୍କୁ ଆଉ କୌଣସି ଅତିରିକ୍ତ ପଦକ୍ଷେପ ନେବାକୁ ପଡ଼ିବ ନାହିଁ ଏବଂ ସେମାନେ ପୂର୍ବଭଳି ସବ୍ସିଡି ସହ ସିଲିଣ୍ଡର ପାଇବେ।
ଯେଉଁ ଗ୍ରାହକମାନେ ଧାର୍ଯ୍ୟ ସମୟସୀମା ମଧ୍ୟରେ ଏହି ପ୍ରକ୍ରିୟା ପୂର୍ଣ କରିବେ ନାହିଁ, ସେମାନଙ୍କୁ ସବ୍ସିଡିରୁ ବଞ୍ଚିତ ହେବାକୁ ପଡ଼ିପାରେ। ଅର୍ଥାତ୍, ସେମାନଙ୍କୁ ସବ୍ସିଡି ବିନା ବଜାର ମୂଲ୍ୟରେ ସିଲିଣ୍ଡର କିଣିବାକୁ ପଡ଼ିବ। ତେବେ, ଅଥେଣ୍ଟିକେସନ୍ ପ୍ରକ୍ରିୟା ଶେଷ ହେବା ପରେ ପୁନର୍ବାର ସବ୍ସିଡି ସୁବିଧା ସକ୍ରିୟ କରାଯିବ।
ଘରେ ବସି କିପରି କରିବେ ଯାଞ୍ଚ୍?
ଏହି ପ୍ରକ୍ରିୟାକୁ ଅତି ସହଜ କରାଯାଇଛି। ଗ୍ରାହକମାନେ ନିଜ ନିଜ ଗ୍ୟାସ୍ କମ୍ପାନୀର ଅଫିସିଆଲ୍ ମୋବାଇଲ୍ ଆପ୍ କିମ୍ବା BharatGas ଜରିଆରେ କିମ୍ବା ସିଲିଣ୍ଡର ଡେଲିଭରି ସମୟରେ ଡେଲିଭରି ବୟଙ୍କ ମାଧ୍ୟମରେ ଏବଂ ଡିଷ୍ଟ୍ରିବ୍ୟୁଟର୍ ଶୋ'ରୁମ୍କୁ ଯାଇ ଏହି ବାୟୋମେଟ୍ରିକ୍ ଅଥେଣ୍ଟିକେସନ୍ ସମ୍ପୂର୍ଣ୍ଣ କରିପାରିବେ।