ନୂଆଦିଲ୍ଲୀ:କେନ୍ଦ୍ର ସରକାର ମଙ୍ଗଳବାର ୟୁପିଆଇ ପେମେଣ୍ଟ ପାଇଁ ଏକ ନୂତନ ସ୍ଲାବ୍ ଲାଗୁ କରିଛନ୍ତି। ନୂତନ ନିୟମ ଅନୁଯାୟୀ, ବର୍ତ୍ତମାନ ୨,୦୦୦ ଟଙ୍କାରୁ ଅଧିକ ମର୍ଚ୍ଚଣ୍ଟ ୟୁପିଆଇ ପେମେଣ୍ଟ ଉପରେ ୦.୪ ପ୍ରତିଶତ MDR (ମର୍ଚ୍ଚଣ୍ଟଡ ଡିସକାଉଣ୍ଟ ରାଟ୍) ଶୁଳ୍କ ଧାର୍ଯ୍ୟ କରାଯାଇଛି। କିନ୍ତୁ ସବୁଠାରୁ ବଡ଼ କଥା ହେଉଛି, ଏହି ଚାର୍ଜ ସାଧାରଣ ଗ୍ରାହକମାନେ ଦେବେ ନାହିଁ, ବରଂ କେବଳ ବ୍ୟବସାୟୀମାନଙ୍କୁ ହିଁ ଏହା ବହନ କରିବାକୁ ପଡ଼ିବ। ଆସନ୍ତା ଅକ୍ଟୋବର ୧୫ ନିର୍ଦ୍ଦିଷ୍ଟ ମର୍ଚ୍ଚଣ୍ଟ (P2M) ଟ୍ରାଞ୍ଜାକ୍ସନ୍ ଉପରେ UPI MDRର ନୂତନ ଫ୍ରେମୱାର୍କ କାର୍ଯ୍ୟକାରୀ ହେବ।
ବ୍ୟାଙ୍କଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ଯେ, ବ୍ୟବସାୟୀମାନେ ଯେପରି ଏହି MDRର ବୋଝ ଗ୍ରାହକଙ୍କ ଉପରେ ନ ଲଦନ୍ତି, ତାହା ସୁନିଶ୍ଚିତ କରିବେ। ୨,୦୦୦ ଟଙ୍କା ପର୍ଯ୍ୟନ୍ତ କମ୍ ମୂଲ୍ୟର UPI P2M ଲେଣଦେଣକୁ ଏହି MDR ପରିସରରୁ ବାଦ୍ ଦିଆଯାଇଛି। ବ୍ୟକ୍ତିଗତ ଲେଣଦେଣ, ବନ୍ଧୁ କିମ୍ବା ପରିବାରକୁ ଟଙ୍କା ପଠାଇବା (P2P UPI) ପୂର୍ବ ଭଳି ସମ୍ପୂର୍ଣ୍ଣ ମାଗଣା ରହିବ। MDR ର ସର୍ବାଧିକ ସୀମା ପ୍ରତି ଟ୍ରାଞ୍ଜାକ୍ସନ୍ ପିଛା ୩୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ରେଳବାଇ, ଟେଲିକମ୍, ବୀମା ଏବଂ ଇନ୍ଧନ (Fuel) ଭଳି କ୍ଷେତ୍ରରେ ୨,୦୦୦ ଟଙ୍କାରୁ ଅଧିକ ପେମେଣ୍ଟ ଉପରେ ପ୍ରତି ଟ୍ରାଞ୍ଜାକ୍ସନ୍ ପିଛା ୫ ଟଙ୍କାର ଫ୍ଲାଟ୍ MDR ଲାଗିବ।
ଛୋଟ ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି
ଏହି ନୂତନ ବ୍ୟବସ୍ଥା ଦ୍ୱାରା ଛୋଟ ବେପାରୀମାନଙ୍କୁ ସମ୍ପୂର୍ଣ୍ଣ ରିହାତି ମିଳିବ। ଯେଉଁ ଛୋଟ ବ୍ୟବସାୟୀମାନେ UPI QR କୋଡ୍ ଜରିଆରେ ସିଧାସଳଖ ନିଜ ବ୍ୟାଙ୍କ ଆକାଉଣ୍ଟରେ ମାସିକ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରନ୍ତି, ସେମାନଙ୍କୁ କୌଣସି MDR ଦେବାକୁ ପଡ଼ିବ ନାହିଁ। ଏହାଦ୍ୱାରା ମୋଟ ଟ୍ରାଞ୍ଜାକ୍ସନର ୯୬ ପ୍ରତିଶତ ଅଂଶ ଉପରେ କୌଣସି ନୂତନ ଶୁଳ୍କର ପ୍ରଭାବ ପଡ଼ିବ ନାହିଁ।
ଛୋଟ ବେପାରୀଙ୍କ ପାଇଁ ସ୍ୱତନ୍ତ୍ର ପାଣ୍ଠି
ଛୋଟ ବଜାର ଏବଂ ଟାୟାର୍-୩ ସହରଗୁଡ଼ିକରେ ଡିଜିଟାଲ୍ ପେମେଣ୍ଟ ଇନଫ୍ରାଷ୍ଟ୍ରକ୍ଚରକୁ ଆହୁରି ମଜବୁତ କରିବା ପାଇଁ ଏକ ସ୍ୱତନ୍ତ୍ର ପାଣ୍ଠି ଗଠନ କରିବାକୁ ମଧ୍ୟ ପ୍ରସ୍ତାବ ରହିଛି। NPCI ର ସୂଚନା ଅନୁଯାୟୀ, କ୍ୟାପିଟାଲ୍ ମାର୍କେଟ୍ ପେମେଣ୍ଟ ପାଇଁ MDR ହାର ୦.୦୨ ପ୍ରତିଶତ ରହିବ। ତେଣୁ ସାଧାରଣ ୟୁପିଆଇ ବ୍ୟବହାରକାରୀମାନେ ବିନା କୌଣସି ଚିନ୍ତାରେ ନିଜର ଦୈନନ୍ଦିନ ଲେଣଦେଣ ଜାରି ରଖିପାରିବେ।