ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ବିସ୍ଫୋରକ ବ୍ୟାଟର ରିଙ୍କୁ ସିଂହ ଏବଂ ସମାଜବାଦୀ ପାର୍ଟିର ଯୁବ ସାଂସଦ ପ୍ରିୟା ସରୋଜଙ୍କ ବିବାହ ତାରିଖ ଚୂଡ଼ାନ୍ତ ହୋଇଛି। ଆସନ୍ତା ଡିସେମ୍ବର ୪ ତାରିଖ ଉତ୍ତରପ୍ରଦେଶର ଲକ୍ଷ୍ନୌ ସ୍ଥିତ ରାମାଡା ହୋଟେଲରେ ଦୁଇ ଜଣ ବିବାହ ବନ୍ଧନରେ ଆବଦ୍ଧ ହେବେ। ବିବାହ ତାରିଖ ପକ୍କା ହେବା ପରେ ଉଭୟଙ୍କ ପରିବାରରେ ବେଶ୍ ଉତ୍ସାହର ପରିବେଶ ଦେଖିବାକୁ ମିଳିଛି ଏବଂ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି।
ଏହି ବିବାହ ଉତ୍ସବରେ ପରିବାରବର୍ଗଙ୍କ ବ୍ୟତୀତ ନିକଟ ସମ୍ପର୍କୀୟ ଏବଂ କିଛି ବିଶେଷ ଅତିଥି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ ଯେ, ରିଙ୍କୁ ସିଂହ ଭାରତୀୟ କ୍ରିକେଟ୍ ଦଳର ଜଣେ ଜଣାଶୁଣା ତାରକା ହୋଇଥିବାବେଳେ ପ୍ରିୟା ସରୋଜ ଉତ୍ତରପ୍ରଦେଶର ମଛଲିସହର ଆସନରୁ ସମାଜବାଦୀ ପାର୍ଟିର ଏମ୍ପି ଅଛନ୍ତି। ଗତ ୨୦୨୫ ମସିହା ଜୁନ୍ ୮ ତାରିଖ ଦିନ ଲକ୍ଷ୍ନୌର 'ଦି ସେଣ୍ଟ୍ରମ୍' ହୋଟେଲରେ ଉଭୟଙ୍କ ଏଙ୍ଗେଜମେଣ୍ଟ (ନିର୍ବନ୍ଧ) ହୋଇଥିଲା।
କିପରି ଆରମ୍ଭ ହୋଇଥିଲା ପ୍ରେମ କାହାଣୀ ?
ଗତବର୍ଷ ନିର୍ବନ୍ଧ ପରେ ଏକ ସାକ୍ଷାତକାରରେ ରିଙ୍କୁ ସିଂହ ନିଜର ପ୍ରେମ କାହାଣୀ ସମ୍ପର୍କରେ ଖୁଲାସା କରିଥିଲେ। ରିଙ୍କୁ କହିଥିଲେ ଯେ, ସେ ପ୍ରଥମେ ଏକ ଫ୍ୟାନ୍ ପେଜ୍ରେ ପ୍ରିୟାଙ୍କର ଏକ ଫଟୋ ଦେଖିଥିଲେ, ଯେଉଁଥିରେ ତାଙ୍କ ଗାଁର କିଛି ଭୋଟିଂ ପ୍ରସଙ୍ଗ ଥିଲା। ସେତେବେଳେ ପ୍ରିୟାଙ୍କୁ ଦେଖି ସେ ତାଙ୍କ ପ୍ରେମରେ ପଡ଼ିଯାଇଥିଲେ, କିନ୍ତୁ ପ୍ରଥମେ ମେସେଜ୍ କରିବାକୁ ଟିକିଏ ଦ୍ୱିଧାବୋଧ କରୁଥିଲେ।
ଏହାପରେ ଯେତେବେଳେ ପ୍ରିୟା ତାଙ୍କର କିଛି ଫଟୋକୁ ଲାଇକ୍ କରିଥିଲେ, ସେତେବେଳେ ରିଙ୍କୁ ସାହସ କରି ମେସେଜ୍ କରିଥିଲେ ଏବଂ ଏହିପରି ଭାବରେ ସେମାନଙ୍କ କଥାବାର୍ତ୍ତା ଆରମ୍ଭ ହୋଇଥିଲା। କୋଭିଡ୍ ସମୟରେ, ଯେତେବେଳେ ଆଇପିଏଲ୍ ମୁମ୍ବାଇରେ ଚାଲିଥିଲା, ସେତେବେଳୁ ଏହି ସମ୍ପର୍କ ଆରମ୍ଭ ହୋଇଥିବା ରିଙ୍କୁ କହିଛନ୍ତି। କ୍ରିକେଟ୍ ମ୍ୟାଚ୍ ମଧ୍ୟରେ ମଧ୍ୟ ସେମାନଙ୍କ ଭିତରେ ନିୟମିତ କଥାବାର୍ତ୍ତା ହେଉଥିଲା ଏବଂ ୨୦୨୨ ମସିହାରୁ ଏହି ସମ୍ପର୍କ ପ୍ରେମରେ ପରିଣତ ହୋଇଥିଲା ବୋଲି ରିଙ୍କୁ ପ୍ରକାଶ କରିଥିଲେ। ଆଇପିଏଲ୍ ମ୍ୟାଚ୍ ସମୟରେ ଇଡେନ୍ ଗାର୍ଡେନ୍ସରେ ପହଞ୍ଚି ପ୍ରିୟା ମଧ୍ୟ ରିଙ୍କୁଙ୍କୁ ଉତ୍ସାହିତ କରିଥିବାର ନଜର ଆସିଛନ୍ତି।